ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି
ପୁରୀ:- ରଥଯାତ୍ରାର ପ୍ରାରମ୍ଭିକ ପର୍ବ ସ୍ନାନପୂର୍ଣ୍ଣମୀରେ ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳଜି, ସଂଚିଷ୍ଟା, ତାମ୍ରପର୍ଣ୍ଣି, ଲୋଧା ମିଶ୍ରିତ ହୋଇ ଏହି ଅଧିବାସ ଜଳ ଗତକାଲି ଠାରୁ ରଖାଯାଇଥିଲା । ରାଘବ ଦାଶ ମଠରୁ ସୁଭଦ୍ରାଙ୍କ ପାଇଁ ଫୁଲଚୁଳ, ଚନ୍ଦ୍ରିକା ଓ ଛତ୍ରୀ ଯୋଗାଇ ଦିଆଯାଇଥିଲା । ସେହିପରି ଗୋପାଳ ତୀର୍ଥ ମଠ ପକ୍ଷରୁ ବଳଭଦ୍ରଙ୍କ ପାଇଁ ଗଜାନନ ବେଶ ଯୋଗାଇ ଦିଆଯାଇଥିଲା ।
ଆଜିର ସ୍ଵତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୪ଟାରେ ମଙ୍ଗଳାର୍ପଣ, ୪ଟା ୧୫ ରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୭ଟା ୪୦ ରେ ପହଣ୍ଡି ଶେଷ ହୋଇଥିଲା । ୭ଟା ୫୦ ରେ ରୁନ୍ଧା ଶେଷ, ୭ଟା ୫୫ ରେ ମଦନମୋହନ ବିଜେ, ୮ଟା ୧୦ ରେ ମଙ୍ଗଳଆରତୀ , ୮ଟା ୧୫ ରେ ମଇଲମ, ୮ଟା ୨୫ ରେ ତଡ଼ପ ଲାଗି ବେଶ, ୮ଟା ୪୫ ରେ ଅଧର ପୋଛା, ୯ଟା ୨୦ ରେ ଅବକାଶ, ୯ଟା ୨୫ ରେ ମଇଲମ, ୯ଟା ୩୫ ରେ ରୋଷହୋମ, ୯ଟା ୫୫ ରେ ସୂର୍ଯ୍ୟପୂଜା, ୧୦ଟା ୨୦ ରେ ଦ୍ୱାରପାଳ ପୂଜା ଓ ପୂର୍ବାହ୍ନ ୧୦ ଟା ୨୫ ରେ ବେଶ ଶେଷ ହୋଇଥିଲା । ପରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଜଳଲାଗି କରାଯାଇଥିଲା । ଗତ ଦୁଇ ବର୍ଷ ଧରି ପ୍ରଶାସନର କରୋନା କଟକଣା ପାଇଁ ଭକ୍ତ ଦର୍ଶନ ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ଦର୍ଶନର ସୁଯୋଗ ମିଳିଥିବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ପହଂଚିବାରେ ଲାଗିଛନ୍ତି ।
ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ସୁଭଦ୍ରା, ବଳଭଦ୍ର ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ବିଜେ କରିବା ପରେ ସେଠାରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ ଓ ରୋଷହୋମ ପରେ ସୂର୍ଯ୍ୟପୂଜା କରାଯାଇଥିଲା । ପରେ ପରେ ବେଶ ଶେଷ ହୋଇ ଦ୍ଵାରପାଳ ପୂଜା କରାଯାଇଥିଲା । ଜଳ ବିଜେ, ଜଳ ପୂଜା, ଜଳ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜା ଛେରା ପହଁରା ନୀତି ସମାପନ କରିଥିଲେ । ପରେ ପରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ହାତୀ ବେଶ ଅନୁଷ୍ଠିତ ହୋଇଛି । ହାତୀ ବେଶ ଅପରାହ୍ନ ୩ଟା ୨୦ରୁ ଆରମ୍ଭ ହୋଇ ୪ଟାରେ ବେଶ ଶେଷ ହୋଇଥିଲା । ବେଶ ଶେଷ ପରେ ଭକ୍ତ ମାନେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି । ହାତୀ ବେଶ ଉଲାଗି ପରେ ସର୍ବସାଧାରଣ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।
କଥିତ ଅଛି, ମହାରାଷ୍ଟ୍ରର ଜଣେ ଭକ୍ତ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଚାହିଁଥିଲେ । ଶ୍ରୀଜୀଉଙ୍କୁ ହାତୀ ବେଶରେ ନଦେଖି ଭକ୍ତ ମନ ଦୁଃଖରେ ଫେରି ଯାଉଥିଲେ । ଏହି ସମୟରେ ଶୂନ୍ୟ ବାଣୀ ହେଲା ସ୍ନାନବେଦି ଉପରେ ଗଜାନନ ବେଶରେ ମୋତେ ଦର୍ଶନ କର । ସେହିଦିନ ଠାରୁ ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କୁ ହାତୀ ବେଶ କରାଯାଉଛି ।