ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ, ଆଜି ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, : ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ମଙ୍ଗଳବାର ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ମୁଖ୍ୟ ଦେଉଳ ଭକ୍ତଙ୍କ ପ୍ରବେଶ ବାରଣ । ଶୋଧ ହେବ ନାଟମଣ୍ଡପ ଓ ଜଗମୋହନ । ରତ୍ନ ସ୍ଥାନାନ୍ତର ପରେ କଟକଣା ହଟିବ । ସେବାୟତମାନଙ୍କ ପାଇଁ କୌଣସି କଟକଣା ନାହିଁ । ରତ୍ନ ଅଳଙ୍କାର ସ୍ଥାନାନ୍ତର ସମୟରେ ଗଜପତିଙ୍କ ପ୍ରତିନିଧି,ମନ୍ଦିର ପ୍ରଶାସନ ଅଧିକାରୀ, ଭଣ୍ଡାର ମେକାପ ଉପସ୍ଥିତ ରହିବେ । ସୂଚନାନୁଯାୟୀ, ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜିଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ମଙ୍ଗଳବାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ମଙ୍ଗଳବାର ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ । ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ । ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଭକ୍ତମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ମଙ୍ଗଳବାର ସକାଳ ୮ ଟାରୁ ପୋଲିସ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ କରୁଥିବା ଭକ୍ତଙ୍କୁ କଡ଼ା ଚେକିଂ କରାଯିବ । ଭିତର ବେଢା଼ରେ କଟକଣାକୁ କଡାକଡି କାର୍ଯ୍ୟକାରୀ କରାଯିବ । ପାଳିଆ ସେବାୟତ ଓ ଅଧିକୃତ ସେବାୟତଙ୍କ ପାଇଁ ଦୁଇ ପ୍ରକାରର ପାସ୍ ବ୍ୟବସ୍ଥା କରାଯାଇଛି । ପ୍ରକ୍ରିୟା ଆରମ୍ଭ ସମୟରେ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ । ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ ପାଇ ପାରିବେ । ଭିତର ବେଢ଼ାରେ ଦର୍ଶନ କଟକଣା ରହିବ । ସୁରକ୍ଷା ଦାୟିତ୍ୱରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।