ଲୋକ ସମ୍ପର୍କ ପରସ୍ପର ପରିପୂରକ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
'The role of information officers is important in providing citizen-centric services that complement each other in public relations'
ଭୁବନେଶ୍ୱର, 24/7: ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରିପୂରକ । ଜନ ସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକ ସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନ ସାଧାରଣଙ୍କ ନିକଟରେ ପହଁଚାଇବା ଏକ ପ୍ରମୁଖ ଆବଶ୍ୟକତା । ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ଆଇନ୍, ଆଦି ବିଭିନ୍ନ ବିଭାଗରେ କରାଯାଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ସଂପର୍କିତ ସୂଚନା ଓ ଏହାର ପ୍ରଚାର ପ୍ରସାରରେ ସୂଚନା ଲୋକସଂପର୍କ ଅଧିକାରୀମାନେ ଗୁରୁତ୍ୱ ଭୂମିକା ନିର୍ବାହ କରୁଛନ୍ତି । ଏହି ପ୍ରୟାସ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ ହେବା ସଂପର୍କରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବୁଧବାର ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଲୋକ ସଂପର୍କ ଭବନ ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଯାଇ ପ୍ରଥମେ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଭାଗର ନିର୍ଦ୍ଦେଶକ ଅନୂଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ସଚିବଙ୍କୁ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସୂଚନା ସେବା ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା, ସୂଚନା ସେବା ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପର୍କରେ ମନେ ପକାଇ ଦେଇଥିଲେ । ସେ କହିଥିଲେ ଯେ, ସୂଚନା ପ୍ରଦାନ କରୁଥିବା ବିଭିନ୍ନ ବିଭାଗ, ସୂଚନାକୁ ସର୍ବସାଧାରଣରେ ପ୍ରକାଶନ ଓ ପ୍ରସାରଣ କରାଉଥିବା ଗଣମାଧ୍ୟମ ଓ ସୂଚନା ପାଉଥିବା ଜନସାଧାରଣ ଲୋକ ସଂପର୍କ ବିଭାଗର ପ୍ରମୁଖ ଅଂଶୀଦାର । ଠିକ୍ ସମୟରେ ଓ ସଠିକ ସମ୍ବାଦ ପ୍ରେରଣ ଗୁରୁତ୍ୱପୂର୍ଣ୍ଣ । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀ, ସଚିବ ଓ ଅନ୍ୟ ଅନୁଷ୍ଠାନରେ ନିୟୋଜିତ ସୂଚନା ଅଧିକାରୀମାନଙ୍କୁ ସେମାନଙ୍କର କାର୍ଯ୍ୟରେ ଅଭିନବତ୍ୱ ଆଣିବା ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଥିଲେ । ବିଭାଗର ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ସେ ବିଭାଗୀୟ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରସ୍ପରିକ ସୁସଂପର୍କ ଓ ସଦଭାବନା ସହ ସମ୍ମିଳିତ ଭାବେ କାର୍ଯ୍ୟ କରିବା, ବିଭାଗର ସୁନାମ ଓ ସମ୍ମାନ ବଜାୟ ରଖିବାକୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ବିଭାଗୀୟ ଅନ୍ୟ ବିଭିନ୍ନ କାର୍ଯ୍ୟ ସହିତ ସାମ୍ବାଦିକମାନଙ୍କ କଲ୍ୟାଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବୈଠକରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନେ ଉପସ୍ଥିତ ଥିଲେ ।