ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କଲା ଇଣ୍ଡିଆ ମେଣ୍ଟ

India Ment nominates former Supreme Court judge for Vice Presidential nomination

21

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ ହେଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେପ୍ଟେମ୍ବର ୯ରେ ହେବାକୁଥିବା ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଗୋଆର ପ୍ରଥମ ଲୋକାୟୁକ୍ତ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ । ଇଣ୍ଡିଆ ମେଣ୍ଟ ଜଷ୍ଟିସ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ଲଢେଇ ଏନଡିପି ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ସହ ହେବ । ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ରେଡ୍ଡୀ ୧୯୭୧ରେ ଆଇନଜୀବୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୪୬ ମସିହା ଜୁଲାଇ ୮ରେ ଜନ୍ମ ହୋଇଥିବା ଜଷ୍ଟିସ ରେଡ୍ଡୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ପ୍ରଥମେ କାମ କରିଥିଲେ । ୧୯୯୫ରେ ତାଙ୍କୁ ପ୍ରଥମଥର ପାଇଁ ଆନ୍ଧ୍ର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୦୫ରେ ସେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୧୯୯୦ରେ ସେ ସଂକ୍ଷିପ୍ତ ସମୟ ପାଇଁ କେନ୍ଦ୍ର ସରକାରରେ ଅତିରିକ୍ତ ଷ୍ଟାଣ୍ଡିଂ ଓକିଲ ଦାୟିତ୍ୱ ନିର୍ବାହ କରିଥିଲେ । ନିଜର ଆଇନଗତ କ୍ୟାରିୟରରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବିଶିଷ୍ଟ ଆଇନଜ୍ଞ ଭାବେ ପରିଚିତ ଜଷ୍ଟିସ ରେଡ୍ଡୀ ୨୦୦୭ରେ ସୁପ୍ରିମକୋର୍ଟର ବିଚାରପତି ହେବା ସହ ୨୦୧୧ ଜୁଲାଇରେ ଅବସର ନେଇଥିଲେ । ଅବସର ନେବା ପରେ ସେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବେ କାମ ଆରମ୍ଭ କରିଥିଲେ । ଜଷ୍ଟିସ ସୁଦର୍ଶନଙ୍କୁ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ କରାଯାଇଥିବା ସମ୍ପର୍କରେ ଘୋଷଣା କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆସନ୍ତା ଉପ ରାଷ୍ଟ୍ରପତି ନିର୍ବାଚନ ଗୋଟିଏ ବିଚାରଧାରାର ଲଢେଇ । ସମସ୍ତ ବିରୋଧୀ ଏକାଠି ରହିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆକ୍ରମଣ କରାଯାଉଛି । ସେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ବିଚାରପତି ଭାବେ କାମ କରିଛନ୍ତି । ସେ ସାମାଜିକ ଓ ରାଜନୀତିକ ନ୍ୟାୟର ଜଣେ ପ୍ରହରୀ ଭାବେ ଖ୍ୟାତି ଅର୍ଜନ କରି ସାରିଛନ୍ତି ବୋଲି ଖଡଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.