ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ
ସମ୍ବଲପୁର, ୮ ଜାନୁଆରୀ – ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ହୀରକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ଏହି ପକ୍ଷୀ ଗଣନା କରାଯାଉଛି । ଆଜି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ଜଳଭଣ୍ଡାରରେ ୫୩୩ ବର୍ଗ କି.ମି. ପର୍ଯ୍ୟନ୍ତ ଏହି ଗଣନା କରାଯିବ । ସେହିପରି ପାୱାର କେନାଲର ୫.୭ ବର୍ଗ କି.ମି. ଏରିଆକୁ ଏଥିରେ ସାମିଲ୍ କରାଯାଇଛି । ଚଳିତ ବର୍ଷ ଛତିଶଗଡ଼ ବର୍ଡ଼ରର ସୁଖାସୋଡ଼ା ଓ ଅନ୍ତରାଢ଼ି ଯାଏଁ ପକ୍ଷୀ ଗଣନା କରାଯାଉଛି । ଏହି ପକ୍ଷୀଗଣନା କାର୍ଯ୍ୟରେ ୧୫ଟି ସେକ୍ଟରରେ ମୋଟ୍ ୩୦ଟି ଟିମ୍ ସାମିଲ୍ ହୋଇଛନ୍ତି । ବାଇନାକୁଲାର, ଜିପିଏସ କ୍ୟାମେରା ସାହାଯ୍ୟରେ ଏହି ପକ୍ଷୀ ଗଣନା କରାଯାଉଛି । କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଲାଇଫ୍ ଜାକେଟ୍ ମଧ୍ୟ ବ୍ୟବହାର କରାଯାଇଛି।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଚଳିତ ବର୍ଷ କେତେ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଛନ୍ତି ଏବଂ କେଉଁ କେଉଁ ପ୍ରଜାତିର ଆସିଛନ୍ତି ତାହାର ଗଣନା କରାଯାଉଛି । ହୀରାକୁଦ ଡ୍ୟାମ୍ ଠାରୁ ଓଡ଼ିଶା-ଛତିଶଗଡ଼ ବର୍ଡ଼ର ପର୍ଯ୍ୟନ୍ତ ଏରିଆରେ ଏହି ପକ୍ଷୀ ଗଣନା କରାଯାଇଛି । ଏହାକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୧୫ଟି ସେକ୍ଟରରେ ମୋଟ୍ ୩୦ଟି ଟିମ୍ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ମତ୍ସ୍ୟଜିବୀ ମାନଙ୍କୁ ମଧ୍ୟରେ ଏଥିରେ ନିୟୋଜିତ କରାଯାଇଛି । କାରଣ ସେମାନେ ଜାଣନ୍ତି ଜଳଭଣ୍ଡାରର କେଉଁ ଏରିଆରେ ଅଧିକ ସଂଖ୍ୟାରେ ପକ୍ଷୀ ରହୁଛନ୍ତି । ଏଥିସହ ଏକ୍ସପର୍ଟସ ମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି ।