ଏୟାର ଇଣ୍ଡିଆରେ ନିଯୁକ୍ତ ହେବେ ୧୦୦୦ ପାଇଲଟ୍‌

173

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ମାଲିକାନାରେ ପରିଚାଳିତ ଏୟାର ଇଣ୍ଡିଆ ଖୁବଶୀଘ୍ର ୧୦୦୦ ନୂଆ ପାଇଲଟ୍‌ଙ୍କୁ ନିଯୁକ୍ତ କରିବ ବୋଲି ଜଣାପଡିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଗତ ଗୁରୁବାର ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ଅଭିଜ୍ଞ (କ୍ୟାପଟେନ ପାହ୍ୟା) ଏବଂ ଶିକ୍ଷାନବୀସ (ଫାଷ୍ଟ ଅଫିସର-ଟ୍ରେନି ପାଇଲଟ୍‌)ଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଇଛି ।

ବର୍ତ୍ତମାନ ଏୟାର ଇଣ୍ଡିଆରେ ମୋଟ ୧୮୦୦ ପାଇଲଟ୍ କାର୍ଯ୍ୟରତ ଅଛନ୍ତି । ତେବେ ବ୍ୟବସାୟିକ କାରବାର ବୃଦ୍ଧି କରିବାକୁ ଏୟାର ଇଣ୍ଡିଆ ଆଗାମୀ ଦିନରେ ବୋଇଙ୍ଗ୍ ଓ ଏୟାରବସ୍ କମ୍ପାନୀରୁ ୪୭୦ ବିମାନ କ୍ରୟ କରିବାକୁ ଚୁକ୍ତି ସ୍ୱାକ୍ଷର କରିସାରିଛି ।

ଏୟାରବସ୍‌କୁ ଦିଆଯାଇଥିବା ଅର୍ଡର ମଧ୍ୟରେ ୨୧୦ଟି ଏ୩୨୦/୩୨୧ ନିଓ ଏକ୍ସଏଲଆର ଏବଂ ୪୦ଟି ଏ୩୫୦-୯୦୦/୧୦୦୦ ବିମାନ ଅନ୍ତର୍ଭୁକ୍ତ । ଅପରପକ୍ଷରେ ବୋଇଙ୍ଗ୍ ନିକଟରୁ ୧୯୦ଟି ୭୩୭ ମ୍ୟାକ୍ସ, ୨୦ଟି ୭୮୭ ଏବଂ ୧୦ଟି ୭୭୭ ବିମାନ କ୍ରୟ କରାଯିବ । ଏହି ବିମାନଗୁଡିକ ସେବାରେ ସାମିଲ ହେଲେ, ନୂଆ ପାଇଲଟ୍‌ଙ୍କ ଆବଶ୍ୟକତା ପଡିବ ।

ଟାଟା ଗ୍ରୁପ୍ ଅଧୀନରେ ଚାରିଟି ଏୟାରଲାଇନ୍ସ ଯଥା ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏଆଇଏକ୍ସ କନେକ୍ଟ ଏବଂ ବିସ୍ତାରା କାର୍ଯ୍ୟ କରୁଛି । ଆଗାମୀ ଦିନରେ ଏୟାର ଇଣ୍ଡିଆ ସହ ଏଆର ଇଣ୍ଡିଆ ଏକ୍ସପ୍ରେସ, ଏଆଇଏକ୍ସ କନେକ୍ଟ ଏବଂ ବିସ୍ତାରାର ମିଶ୍ରଣ ଘଟାଇବାକୁ କମ୍ପାନୀ ଯୋଜନା କରୁଛି ।

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିକଟରେ ଏହାର ପାଇଲଟ୍ ଓ କ୍ୟାବିନ କ୍ରିଉ କର୍ମଚାରୀଙ୍କ ପାଇଁ ନୂତନ ବେତନ ପ୍ୟାକେଜ ଘୋଷଣା କରିଛି । ତେବେ ଦୁଇଟି ପାଇଲଟ୍ ସଂଘ (ଇଣ୍ଡିଆନ କମର୍ସିଆଲ ପାଇଲଟ୍ ଆସୋସିଏସନ ଏବଂ ଇଣ୍ଡିଆନ ପାଇଲଟ୍‌ସ ଗିଲ୍‌ଡ) ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି ।

ନୂତନ ପ୍ୟାକେଜ୍ ଚୂଡାନ୍ତ କରିବା ପୂର୍ବରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପାଇଲଟ୍ ଆସୋସିଏସନର ମତାମତ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ବିଦେଶୀ ଏୟାରଲାଇନ୍ସଗୁଡିକ ପାଇଲଟ୍ ଓ କ୍ୟାବିନ କ୍ରିଉଙ୍କୁ ଅଧିକ ବେତନ ପ୍ରଦାନ କରୁଥିବାରୁ ବିଗତ କିଛିବର୍ଷ ମଧ୍ୟରେ ଏୟାର ଇଣ୍ଡିଆର ସଂଖ୍ୟାଧିକ ପାଇଲଟ୍ ସେହି ଏୟାରଲାଇନ୍ସରେ ଯୋଗଦେଇଛନ୍ତି ।

ତେଣୁ ଅଭିଜ୍ଞ ପାଇଲଟ୍ ଓ କ୍ୟାବିନ କ୍ରିଉ ଯେପରି ବିଦେଶୀ ଏୟାରଲାଇନ୍ସ ପ୍ରତି ଆକୃଷ୍ଟ ନହେବେ, ସେଥିପାଇଁ ନୂଆ ପ୍ୟାକେଜ ବ୍ୟବସ୍ଥା କରାଯାଇଛି ବୋଲି ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ୱିଲସନ କ୍ୟାମ୍ପବେଲ କହିଛନ୍ତି ।

Leave A Reply

Your email address will not be published.