ମହିଳା ଭିକ୍ଷୁକଙ୍କ ବଦାନ୍ୟତା , ମନ୍ଦିର ପାଣ୍ଠିକୁ ଦାନ କଲେ ଏକ ଲକ୍ଷ ଟଙ୍କା

165

କନ୍ଧମାଳ, ୧୬ ଡିସେମ୍ବର – କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷୀୟା ମହିଳା ଭିକ୍ଷୁକ ମନ୍ଦିରକୁ ଦାନ କରିଛନ୍ତି ଏକ ଲକ୍ଷ ଟଙ୍କା ।

ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ କରନ୍ତି ହେଲେ ଧନ ମିଳିଲା ପରେ ଦାନ କରିବା ପ୍ରାୟ ଭୁଲି ଯାଆନ୍ତି । କିନ୍ତୁ, ଏପରି ମଣିଷ ଆଜିବି ବଞ୍ଚିଛନ୍ତି ଯେଉଁମାନେ ତାଙ୍କର ଅର୍ଜିତ ଧନ ସର୍ବସ୍ବ ଭାଗବାନଙ୍କ ନିକଟରେ ସମର୍ପଣ କରିଦିଅନ୍ତି। ସେହିପରି ଏକ କିମ୍ବଦନ୍ତୀ ମହିଳା ହେଉଛନ୍ତି ତୁଳା ବେହେରା । ତୁଳାଙ୍କ ସ୍ବାମୀ ପ୍ରଫୁଲ୍ଲ ବେହେରା କୋଡିଏ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ତୁଳାଙ୍କ କେହି ସନ୍ତାନ ସନ୍ତତି ନାହାଁନ୍ତି । ଭିକ୍ଷା ବୃତ୍ତି କରି ଚଳୁଥିଲେ । ବିଶେଷ କରି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ବେଳେ ବେଳେ ସିରିଡ଼ି ସାଇ ମନ୍ଦିର ପରିସରରେ ବସନ୍ତି । ଯାହା ଆଦାୟ ହୁଏ ସେଥିରେ ସେ ଚଳିବା ସହ ବାକିଟଙ୍କା ବ୍ୟାଙ୍କରେ ଜମା କରୁଥିଲେ। ବ୍ୟାଙ୍କରେ ତାଙ୍କର ୧ ଲକ୍ଷ କୋଡିଏ ହଜାର ଥିଲା ଆଉ ସେ ଏହି ଅର୍ଥରୁ ୧ ଲକ୍ଷ ଟଙ୍କା ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସଦସ୍ୟଙ୍କ ଉପସ୍ଥିତିରେ ଦାନ କରି ସୃଷ୍ଟି କରିଛନ୍ତି ଏକ ଇତିହାସ। ଏହିଅର୍ଥରେ ବାହାରୁ ଆସୁଥିବା ସାଧୁ ସନ୍ଥମାନେ ରହିବା ପାଇଁ ଘର ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ବଞ୍ଚି ଥିବା ଯାଏ ଆଉ କିଛି ସଞ୍ଚୟ କରି ଅର୍ଥ ଦେବେ ବୋଲି କହିଛନ୍ତି ସେ। ତୁଳାଙ୍କ ଏଭଳି ମନୋଭାବ ନିଶ୍ଚିତ ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁଳାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୁଳାଙ୍କ ଖାଇବା ପିଇବା, ରହିବା ସହ ତାଙ୍କର ସମସ୍ତ ଦାୟୀତ୍ଵ ବହନ କରିବ ବୋଲି କହିଛି କମିଟି।

ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ସଦସ୍ଯ ଆଇନଜିବୀ ରଜତ କୁମାର ମହାନ୍ତି, ଆଇନଜିବୀ ଚନ୍ଦ୍ର ଶେଖର ପରିଡା, ଅଜୟ କୁମାର ସିଂ, ସିଦ୍ଧେଶ୍ଵର ଦାସ, ପ୍ରଦୀପ ମୁନି ଓ ଶଙ୍କର ପାଢି ପୂଜକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.