ଅଇଘରା ପୁନେଇଁ

185

ପୁରୀ, ୫ ଫେବୃଆରୀ – ଅଗ୍ନ୍ୟୁତ୍ସବ, ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ଵାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତନ କରି ଅଗ୍ନିର ଚତୁଃପାର୍ଶ୍ଵ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ଵାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ଵାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।

Leave A Reply

Your email address will not be published.