୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଆଗକୁ ଟକ୍‌ମକ୍‌ ହୋଇ ଫୁଟିବ ଓଡ଼ିଶା

186

ଭୁବନେଶ୍ୱର, ୧ା୩(ଡିକେ ନ୍ୟୁଜ): ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ । ମାର୍ଚ୍ଚରୁ ମେ’ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ସକାଳ ୧୦ରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେବ ଓ ଅପରାହ୍ଣ ୪ ପର୍ଯ୍ୟନ୍ତ ତାତି କଲବଲ କରିବ । ଏମିତି କି ଅନେକ ସମୟରେ ଓଡ଼ିଶା ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟରେ ପରିଣତ ହେବ । ରାଜ୍ୟରେ ଏଭଳି ଗରମ ସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ-ମେ’ ପର୍ଯ୍ୟନ୍ତ ଜାରି ହୋଇଥିବା “ଋତୁକାଳୀନ ପୂର୍ବାନୁମାନ’ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରୀଷ୍ମ ୩ ମାସରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଘନ ଘନ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌) ପରିସ୍ଥିତି ମଧ୍ୟ ଉପୁଜିବ ।

ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ବଡ଼ କଥା ହେଉଛି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଟ୍‌ ୱେଭ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଭାଗ ଆକଳନ କରିଛି । ଅନ୍ୟପଟେ ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ତାତି ୧୨୩ ବର୍ଷର ରେକର୍ଡ ଭଙ୍ଗ କରିଛି । ଦେଶରେ ୧୯୦୧ ରୁ ୨୦୨୩ ମଧ୍ୟରେ ଅର୍ଥାତ ଚଳିତ ବର୍ଷ ଫେବୃଆରୀରେ ସର୍ବାଧିକ ତାତି ଅନୁଭୂତ ହୋଇଛି ବୋଲି ଆଇଏମ୍ଡି କହିଛି । ଫେବୃଆରୀ ମାସରେ ଦେଶରେ ୨୭.୮୦ ଡିଗ୍ରୀ ତାପମାତ୍ରାକୁ ସ୍ୱାଭାବିକ ବିବେଚନା କରାଯାଏ । ହେଲେ ଚଳିତ ବର୍ଷ ତାପମାତ୍ରା ୨୯.୫୪ ଡିଗ୍ରୀ ସେଲସିୟସ ଛୁଇଁଛି ।

ଏହା ପୂର୍ବରୁ ୨୦୧୬ରେ ଫେବୃଆରୀ ମାସେର ରେକର୍ଡ ହୋଇଥିବା ୨୯.୩୧ ତାପମାତ୍ରାକୁ ସର୍ବକାଳୀନ ରେକର୍ଡ ବିବେଚନା କରାଯାଉଥିଲା । ସେହିପରି ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି
ହେବ । ଏହାଦ୍ୱାରା କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଖରାର ପ୍ରକୋପକୁ ଦେଖି ରାଜ୍ୟ ସରକାର ଗ୍ରୀଷ୍ମ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

Leave A Reply

Your email address will not be published.