ଲୁଟେରାଙ୍କ ଟାର୍ଗେଟ୍‌ରେ କ୍ରିପ୍ଟୋ ନିବେଶକ: ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଲୁଟୁଛନ୍ତି

169

ବେଙ୍ଗାଲୁରୁ: କ୍ରିପ୍ଟୋକରେନ୍ସିରେ ନିବେଶ କରି ଦିଲ୍ଲୀର ଯୁବକ ନିତୀନ ବଶିଷ୍ଠ ୨୦ ଲକ୍ଷ ଟଙ୍କା ହରାଇଛନ୍ତି। ଟେଲିଗ୍ରାମ୍‌ ମାଧ୍ୟମରେ ସେ ଜଣେ ମହିଳାଙ୍କ ବିଷୟରେ ଜାଣିଥିଲେ ଯିଏ ନିଜକୁ ଜଣେ ନିବେଶ ପରାମର୍ଶଦାତା ପରିଚୟ ଦେଇଥିଲେ। ସିଙ୍ଗାପୁରର ଏକ ଭର୍ଚୁଆଲ୍ ନମ୍ବରକୁ ବ୍ୟବହାର କରି ସେ ତାଙ୍କ ପାଖକୁ ଆନ୍ତର୍ଜାତିକ କଲ୍ କରିଥିଲେ।

‌ନିବେଶକଙ୍କ ବିଶ୍ବାସ ଜିତିବା ଲାଗି ସେ ସେଭଳି ନମ୍ବର ବ୍ୟବହାର କରୁଛନ୍ତି। ହଂକଂରୁ ସେ କଲ୍ କରିଥିବା ବଶିଷ୍ଠଙ୍କୁ ଜଣାଇଥିଲେ। ନିଜକୁ ମିଲାଙ୍କ ନାମରେ ପରିଚୟ ଦେଇଥିବା ମହିଳା ଜଣଙ୍କ ଏକ ଲିଙ୍କ୍‌ ପଠାଇ ତାଙ୍କୁ ଏକ ୱେବସାଇଟ୍‌ରେ ପଞ୍ଜୀକରଣ କରିବାକୁ କହିଥିଲେ। ନିଜ ଇ-ମେଲ୍‌ ଆଇଡି ଓ ଫୋନ୍ ନମ୍ବର ଦେଇ ସେଥିରେ ସେ ପଞ୍ଜୀକରଣ କରିଥିଲେ। ଏହା ପରେ ତାଙ୍କୁ ଏକ ନୂଆ ୱାଲେଟ୍ ଜାରି କରାଯାଇଥିଲା। ନିଜ ସଞ୍ଚିତ ଅର୍ଥକୁ ବ୍ୟବହାର କରି ସେ ଏକ ଏକ୍ସଚେଞ୍ଜ୍‌ରୁ ‘ୟୁଏସ୍‌ଡିଟି’ ନାମକ କ୍ରିପ୍ଟୋ ଖରିଦ କରିଥିଲେ।

ଏହା ପରେ ତାଙ୍କୁ ଟ୍ରେଡିଂ ଆରମ୍ଭ କରିବାକୁ ମହିଳା ଜଣକ କହିଥିଲେ। ଅଧିକ ଟ୍ରେଡିଂ କରିବା ଲାଗି ପାଣ୍ଠିକୁ ଏକ ନୂଆ ୱାଲେଟ୍‌କୁ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ମହିଳା ଜଣକ ତାଙ୍କୁ କହିଥିଲେ। ଯେତେବେଳେ ବଶିଷ୍ଠ କ୍ରିପ୍ଟୋ ବିକ୍ରି କରି ନିଜ ପାଣ୍ଠି ପାଇବାକୁ ଚାହିଲେ ତାଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ କୁହାଯାଇଥିଲା। ଏହା ପରେ ତାଙ୍କ ଖାତାକୁ ନିସ୍କ୍ରିୟ କରିଦିଆଗଲା। ଏହାପରେ ମଧ୍ୟ ସେ ନିଜ ପାଣ୍ଠି ପାଇଲେ ନାହିଁ। ଆହୁରି କମିସନ ନଦେଲେ ଏହି କାରବାରକୁ ମନି ଲଣ୍ଡରିଂ ବିଚାର କରାଯିବ ବୋଲି ମହିଳା ଜଣକ ତାଙ୍କୁ କହିଥିଲେ। କିଛି ଦିନ ପରେ ସେ ବ୍ୟବହାର କରୁଥିବା ୱେବସାଇଟ୍ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା।

ଏବେ କ୍ରିଫ୍ଟୋକରେନ୍ସି ଏକ ଚର୍ଚ୍ଚିତ ନିବେଶ ମାଧ୍ୟମ ହୋଇଥିବାରୁ ସେହି ବାହାନରେ ଲୋକମାନଙ୍କୁ ଠକିବା ଲାଗି ଏକ ଦଳ ସକ୍ରିୟ ହୋଇଛି। ସେମାନେ ନକଲି ୱେବସାଇଟ୍‌ ଖୋଲି ଅସଲି କ୍ରିପ୍ଟୋ କିଣିବାର ସ‌ୁଯୋଗ ଦେଉଛନ୍ତି। ଲୋକଙ୍କ ବିଶ୍ବାସ ଜିତିବା ପରେ ତାଙ୍କଠାରୁ ମୋଟା ଅଙ୍କର କମିସନ ନେବା ସହ ସବୁ ପାଣ୍ଠି ହଡ଼ପ କରୁଛନ୍ତି। କିଛି ଚର୍ଚ୍ଚିତ କ୍ରିପ୍ଟୋୱାଲେଟ୍‌ ଭଳି ଅବିକଳ ଦେଖାଯାଉଥିବା ନକଲି ୱାଲେଟ୍ ସେମାନେ ପ୍ରସ୍ତୁତ କରୁଛନ୍ତି। ଆନ୍ତର୍ଜାତିକ ମୋବାଇଲ୍‌ ନମ୍ବର ଓ ହିନ୍ଦୀ ଭାଷା ବ୍ୟବହାର କରି ସେମାନେ ଲୋକଙ୍କ ବିଶ୍ବାସ ଜିତୁଛନ୍ତି।

Leave A Reply

Your email address will not be published.