ଭାରତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

191

କରାଚୀ: ସକାରାତ୍ମକ ଆଲୋଚନା ହେବ ବୋଲି ଆଶା କରୁଛି କହି ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ ଜର୍ଦାରି କରାଚୀରୁ ଭାରତର ଗୋଆରେ ହେବାକୁ ଥିବା ‘ସଙ୍ଘାଇ କର୍ପୋରେସନ୍‌ ଅର୍ଗାନାଇଜେସନ୍‌’ (ଏସ୍‌ସିଓ) ବୈଠକରେ ଯୋଗ ଦେବାକୁ ଆସିବା ସମୟରେ କହିଛନ୍ତି।

ଆଜି ଓ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକରେ ମିତ୍ର ଦେଶମାନଙ୍କର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ସକାରାତ୍ମକ ଆଲୋଚନା ହେବ ବୋଲି ବିଲାୱାଲ୍‌ ଆଶା ପ୍ରକାଶ କରିଛନ୍ତି। ଭିଡିଓ ବାର୍ତ୍ତାରେ ବିଲାୱାଲ୍‌ କହିଛନ୍ତି, ଭାରତର ଗୋଆକୁ ବାହାରିଛି। ସେଠାରେ ‘ସଙ୍ଘାଇ କର୍ପୋରେସନ୍‌ ଅର୍ଗାନାଇଜେସନ୍‌ ସିଏଫ୍‌ଏମ୍‌’ରେ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ବ ନେବି। ଏହି ବୈଠକରେ ଯୋଗ ଦେବାକୁ ମୋର ନିଷ୍ପତ୍ତି ‘ଏସ୍‌ସିଓ’ର ‘ଚାର୍ଟର୍‌’ ପ୍ରତି ପାକିସ୍ତାନର ଦୃଢ଼ ପ୍ରତିବଦ୍ଧତା ପ୍ରତିପାଦନ କରୁଛି।

ଉଲ୍ଲେଖଯୋଗ୍ୟ, ବୈଠକର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ଲାଗି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଆଜି ଗୋଆରେ ପହଞ୍ଚିଛନ୍ତି। ‘ଏସ୍‌ସିଓ’ ପ୍ରତିପକ୍ଷମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଆଜି ସେ ଦ୍ବିପାକ୍ଷିକ ବୈଠକ କରିବେ। ମେ ମାସରେ ହେବାକୁ ଥିବା ‘ଏସ୍‌ସିଓ’ ବୈଠକରେ ଯୋଗ ଦେବା ପାଇଁ ବିଲ୍‌ୱାଲ୍‌ ଭୁଟ୍ଟୋ ଜର୍ଦାରି ଭାରତ ଗସ୍ତରେ ଯିବେ ବୋଲି ଏପ୍ରିଲ୍‌ ମାସରେ ପାକିସ୍ତାନ ଘୋଷଣା କରିଥିଲା।୨୦୧୧ରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖାର୍‌ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍‌. ଏମ୍‌. କ୍ରିଷ୍ଣାଙ୍କୁ ଭେଟିଥିଲେ। ତା’ପରେ ଏହା ହେଉଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଭାବେ ବିଲାୱାଲ୍‌ ‌ଭୁଟ୍ଟୋ ଜର୍ଦାରିଙ୍କ ପ୍ରଥମ ଭାରତ ଗସ୍ତ।

Leave A Reply

Your email address will not be published.