ଭୁବନେଶ୍ୱର, : ଓଡ଼ିଶାର ବିଶ୍ୱପ୍ରସି କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ହେଇଯାଇଛି ରାଜ୍ୟସ୍ତରୀୟ ଶିଶୁ ଉତ୍ସବ “ମହକ’ । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଶିଶୁମାନଙ୍କୁ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରି ଦକ୍ଷତା ପ୍ରଦର୍ଶନ କରିବା ସହିତ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ଶ୍ରୀମତୀ ହେମ୍ବ୍ରମ ସରକାରଙ୍କ ଦ୍ୱାରା ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହ ଛିଡା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଶ୍ରୀମତୀ ହେମ୍ବ୍ରମ ଆହୁରି କହିଲେ ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କର ସୁନ୍ଦର ସୃଷ୍ଟି ଓ ସେମାନଙ୍କୁ ମଣିଷ କରିବା ପାଇଁ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଶିଶୁ ଉତ୍ସବ ଶିଶୁମାନଙ୍କର ପ୍ରତିଭା ବିକାଶ କରିବା ସହିତ ସେମାନଙ୍କୁ ସାମାଜିକ ମୂଲ୍ୟବୋଧ ବିଷୟରେ ସଚେତନ କରିବବୋଲି ସେ ଆଶା ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଲେ ଓଡ଼ିଶାର ସୁପ୍ରତିଷ୍ଠିତ ଅଭିନେତ୍ରୀ ଅନୁ ଚୌଧୁରୀ । ସେ ଛୋଟ ଛୋଟ ଶିଶୁଙ୍କ ସହ ତାଳ ଦେଇ ନାଚିବା ସହ ଶିଶୁମାନଙ୍କର ପ୍ରଶ୍ନଗୁଡିକୁ ଅତି ଆନନ୍ଦ ସହ ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ, କୁଇଜ, ବିତର୍କ ଏବଂ ଚିତ୍ରକଳା ସମେତ ବିଭିନ୍ନ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନବାକୁ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ବିଜେତା ଏକତ୍ରିତ ହୋଇଛନ୍ତି । ଏହା ସହ ଶିଶୁମାନଙ୍କର ପ୍ରତିଭାର ବିକାଶ କରିବା ପାଇଁ କାର୍ଟୁନ କର୍ମଶାଳା ସହ ବର୍ଜ୍ୟବସ୍ତୁରୁ ତିଆରି ବିଭିନ୍ନ ଉପକାରୀ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା ନିଜ ବକ୍ତବ୍ୟରେ ଶିଶୁମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ସେମାନଙ୍କର ଉନ୍ନତି ନିମନ୍ତେ ସମସ୍ତ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଆଶ୍ୱାସନା ଦେଇଥିଲେ । ଏହି ଉତ୍ସବରେ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.