ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

34-member women's team for National Hockey Camp

163

ବେଙ୍ଗାଲୁରୁ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଭାରତୀୟ ମହିଳା ହକି ଦଳ ବର୍ତ୍ତମାନ ପଞ୍ଚରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ପେନର ଭାଲେନ୍ସିଆରେ ରହିଛି। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଦଳ ଜାତୀୟ କ୍ୟାମ୍ପରେ ଯୋଗ ଦେବ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୧୩-୧୯ ପର୍ଯ୍ୟନ୍ତ ରାଞ୍ଚରେ ଖେଳାଯିବ। ଭାରତ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ, ଇଟାଲୀ ଓ ଯୁକ୍ତରାଷ୍ଟ୍ର ଆମେରିକା ସମାନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌ ଏ’ରେ ଜର୍ମାନୀ, ଜାପାନ, ଚିଲି ଓ ଚେକ୍‌ ରିପବ୍ଲିକ ରହିଛନ୍ତି। ପୂର୍ବରୁ ରାଞ୍ଚରେ ଭାରତୀୟ ମହିଳା ଦଳ ଚମକ୍ରାର ପ୍ରଦର୍ଶନ କରି ଓମେନ୍ସ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା। ପଞ୍ଚରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆମ ପାଇଁ ଅଲିମ୍ପିକ୍ସ ପ୍ରସ୍ତୁତିର ଲିଟମସ୍‌ ଟେଷ୍ଟ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଜାନେକ୍‌ ସ୍କୋପମାନ୍‌। ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଚମକ୍ରାର ପ୍ରଦର୍ଶନ ପରେ ଆମେ ଆଉ ଭଲ ପ୍ରଦର୍ଶନ ପାଇଁ ପ୍ରୟାସ କରିବୁ। ଦଳ ବର୍ତ୍ତମାନ ଉଭୟ ଶାରୀରିକ ଓ ମାନସିକ ଭାବରେ ଦୃଢ ହେବାକୁ ପ୍ରୟାସ ଜାରି ରଖିଛି। ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିବାକୁ ଏହା ଅନ୍ତିମ ସୁଯୋଗ ରହିଥିବା ବେଳେ ଏହାର ପୂର୍ଣ୍ଣ ବ୍ୟବହାର ପାଇଁ ପ୍ରୟାସ କରିବୁ ବୋଲି ସ୍କୁପମାନ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ଭାରତୀୟ ଦଳ ଓମାନର ମସ୍କାଟ ଗସ୍ତ କରି ଜାନୁୟାରୀ ୨୪-୨୭ ମଧ୍ୟରେ ଫାଇଭ୍‌ ଏ ସାଇଡ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ।

Leave A Reply

Your email address will not be published.