ଭାରତ ସମେତ ସମଗ୍ର ବିଶ୍ୱରେ ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ। ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ। ଫଳରେ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପ୍ରଥମେ ଟ୍ୱିଟର, ଫେସବୁକ୍, ଆମାଜନ୍ ପରେ ଏବେ ଏହି ଦୌଡ଼ରେ ସାମିଲ ହୋଇଛି ଜୋମାଟୋ। ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗରେ କର୍ମଚାରୀମାନଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି। କମ୍ପାନୀରେ ଥିବା ମୋଟ ଚାକିରିଆଙ୍କ ମଧ୍ୟରୁ ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ କମ୍ପାନୀରେ ବିଭିନ୍ନ ବିଭାଗ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛି। ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ, ବୈଷୟିକ, ଉତ୍ପାଦନ ଏବଂ ମାର୍କେଟିଂ ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ କୁହାଯାଇଛି। ଦକ୍ଷତା ଚୟନ ମାପଦଣ୍ଡରେ ୩ ପ୍ରତିଶତ କର୍ମଚାରୀ ଫଳପ୍ରଦ ନୁହନ୍ତି ବୋଲି କମ୍ପାନୀ ଆକଳନ କରିଛି। ସେହି ଆକଳନ ଅନୁସାରେ ସେମାନଙ୍କୁ ଚାକିରୀରୁ ବାହାର କରାଯିବ। ଉଲ୍ଳେଖ କରାଯାଇପାରେ ଯେ,୨୦୨୦ରେ କରୋନା ଭାଇରସ୍ ମହାମାରୀ ପରେ ବ୍ୟବସାୟରେ ହ୍ରାସ ଯୋଗୁ ଏହି ଫୁଡ୍ ଡେଲିଭରି ଆପ୍ ପ୍ରାୟ ୫୨୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା। ଏହା ସମ୍ପୂର୍ଣ୍ଣ ମାନବିକ ସମ୍ବଳର ପ୍ରାୟ ୧୩ ପ୍ରତିଶତ। ବର୍ତ୍ତମାନ ଛଟେଇ ପରେ ଜୋମାଟୋରେ ଏବେ ପ୍ରାୟ ୩୮୦୦ କର୍ମଚାରୀ ଅଛନ୍ତି। ଏଥିସହ ଜୋମାଟୋର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଫାର୍ମରେ ୪.୫ ବର୍ଷ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ଉଭୟ ଷ୍ଟାର୍ଟଅପ୍ ଏବଂ ଟେକ୍ ଶିଳ୍ପଗୁଡିକ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଆମାଜନ, ମେଟା ଏବଂ ଟ୍ୱିଟର ସମେତ ବଡ ବଡ଼ ବୈଷୟିକ କମ୍ପାନୀଗୁଡିକ ଭାରତ ସମେତ ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ସର୍ବଶେଷ ରିପୋର୍ଟରୁ ଜଣାପଡିଛି ଯେ ନୂତନ ଟ୍ୱିଟର ମାଲିକ ଏଲନ୍ ମସ୍କ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ଯୋଜନା କରିଛନ୍ତି। ମସ୍କ ପୂର୍ବରୁ ୫୦ ପ୍ରତିଶତ ଶ୍ରମିକଙ୍କୁ କର୍ମଚରୀଙ୍କୁ ବହିଷ୍କାର କରିସାରିଛନ୍ତି । ୪୦୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସେ ବିଦା କରିଛନ୍ତି। କାର୍ଯ୍ୟଚାପରେ ଅସହ୍ୟ ହୋଇ ପଡ଼ିଥିବା ପ୍ରାୟ ୧୨୦୦ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଭାରତରେ ମଧ୍ୟ ବିଭିନ୍ନ କଂପାନୀ ସେମାନଙ୍କ ସଂସ୍ଥାରୁ କର୍ମଚାରୀ ମାନଙ୍କୁ ବିଦାୟ ଦେବା ପାଇଁ ଯୋଜନା କରୁଛନ୍ତି। ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଯାଇଥିବାରୁ ଏଭଳି ଏକ ସ୍ଥିତି ଉପୁଜିଛି। ଯେତେ ଶୀଘ୍ର ଏହି ସ୍ଥିତିରେ ପୂର୍ଣ୍ଣଛେଦ ପଡ଼ିବ ସେତେ ଭଲ।
Sign in
Sign in
Recover your password.
A password will be e-mailed to you.