ରାମଲିଙ୍ଗମ ଉଦ୍ୟାନରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଅଙ୍କର : ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନ ଅଟଳ ବିହାରି ବାଜପେୟୀଙ୍କ ଜନ୍ମଦିନ । ଏହି ଅବସରରେ ବ୍ରହ୍ମପୁର ରାମଲିଙ୍ଗମ ଉଦ୍ୟାନରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନୋମହନ ସାମଲ ଯୋଗ ଦେଇ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ରାଜ୍ୟ ସଭାପତି ବ୍ରହ୍ମପୁର ବିଧାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଜିଲ୍ଲାରେ କିଭଳି ରହିଛି ଦଳର ସ୍ଥିତି ଓ ନେତା ଏବଂ କର୍ମୀ ମାନଙ୍କ ସୁବିଧା ଅସୁବିଧାକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଅଟଳ ବିହାରି ବାଜପେୟୀ ବିଭିନ୍ନ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କୁ ଏକାଧାରାରେ ଜଣେ ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ, ଜଣେ ମହାନ ବିଜ୍ଞ ବ୍ୟକ୍ତି ରହିଥିଲେ । ଭାରତ ପ୍ରତି ତାଙ୍କର ଅତୁଟ ଅବଦାନ ଯୋଗୁଁ ସମସ୍ତେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି । ଆଉ ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ବ୍ରହ୍ମପୁର ସହରରେ ଉନ୍ମୋଚିତ ହୋଇଛି ତାହା ବହୁତ ବଡ଼ କଥା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ତାଙ୍କର ଆଜି ଜନ୍ମ ଜୟନ୍ତୀରେ ଗାଁ ଠାରୁ ଆରମ୍ଭ କରି ସହର ବ୍ରହ୍ମପୁର ଠାରୁ ଆରମ୍ଭ କରି ସାରା ଦେଶରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ବାଜପେୟୀ ସମସ୍ତ ପ୍ରେରଣାର ଓ ଉତ୍ସାହର କେନ୍ଦ୍ରବିନ୍ଦୁ ସହ ମାର୍ଗଦର୍ଶକ ଥିଲେ ଓ ସବୁ ଦିନ ପାଇଁ ରହିବେ । ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ବର୍ଷାସାରା ପାଳନ କରାଯିବ । ଏନେଇ ରାଷ୍ଟ୍ର ସଭାପତି ଜେ.ପି.ନଡ଼୍ଡା ବର୍ଷସାରା କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସ୍ବୀକୃତି ରହିଛି । ବର୍ଷସାରା ହେବାକୁ ଥିବା କାର୍ଯ୍ୟକ୍ରମ ବ୍ରହ୍ମପୁରରୁ ଆରମ୍ଭ ହୋଇ ସାରା ରାଜ୍ୟରେ ପହଞ୍ଚିବ ବୋଲି ମଧ୍ୟ କହିଛନ୍ତି ରାଜ୍ୟ ସଭାପତି ମନୋମହନ ସାମଲ । ସେପଟେ ପୂର୍ବରୁ ବ୍ରହ୍ମପୁର ସହରରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତିଟିଏ କରିବାର ଇଚ୍ଛା ରହିଥିଲା । ବର୍ତ୍ତମାନ ବିଧାୟକ ହେବା ପରେ ସହରର ସହଯୋଗରେ ସହରର ମଧ୍ୟଭାଗରେ ତାହା ହୋଇପାରିଛି ତେଣୁ ଏହା ଏକ ଖୁସୀର କଥା ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଜେପି ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।