ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

One arrested for kidnapping youth

72

ଭଞ୍ଜନଗର,୨୯/୭ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି। ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ ଗତ ୨୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ କେସ୍ ନମ୍ବର ୨୮୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଅପହରଣ ଅଭିଯୋଗରେ ଭରତପୁର ଥାନା ଇଲାକାର ଅଭିଯୁକ୍ତ ମନୋଜ କୁମାର ସାହୁକୁ କୋର୍ଟ ଚାଲାଣ କରିବା ସହ ଅପହୃତ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତାରସିଂ ଥାନା ଅଧିନ ତାରସିଂ ଗ୍ରାମର ଯୁବରାଜ ଭୂବନେଶ୍ବରରେ ମନୋଜଙ୍କ ମାଲିକାନାରେ ରହିଥିବା ଏକ ସଂସ୍ଥାରେ କାମ କରୁଥିଲେ। ସେ କିଛି ଦିନ ତଳେ ଗାଁକୁ ଆସିଥିବା ବେଳେ କାମରେ ଯୋଗଦେବା ପାଇଁ ଫୋନ ଯୋଗେ ମାଲିକ ଡାକିଥିଲେ। କାମକୁ ନଆସିଲେ ତାକୁ ଅପହରଣ କରିନେବାକୁ ଧମକ ମଧ୍ୟ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏହାପରେ ୨୬ ତାରିଖ ଦିନ ଯୁବରାଜ ଅନ୍ୟଜଣେ ଗ୍ରାମବାସୀଙ୍କ ସହ ରାତିରେ ଗାଁ ମୁହଁରେ ଠିଆ ହୋଇଥିବା ସମୟରେ ୨ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଉଭୟଙ୍କୁ ସେଠାରୁ ଅପହରଣ କରିନେଇଥିଲେ। ପରେ ସେଠାରୁ କିଛି ଦୂର ଗରୁଡୁପଥର ଠାରେ ସେହି ବ୍ୟକ୍ତିଙ୍କୁ ଛାଡିଦେଇ ଯୁବରାଜକୁ ଏକ କାର୍ ରେ ନେଇଯାଇଥିଲେ। ଆଉ ଏସଂର୍ପକରେ କାହକୁ କହିଲେ ସେମାନେ ଯୁବରାଜକୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପରେ ଯୁବରାଜଙ୍କ ବଡଭାଇ ମନୋଜ ସହ ଫୋନରେ କଥା ହୋଇଥିବା ବେଳେ ସେ ଦେଢଲକ୍ଷ ଟଙ୍କା ଦେବାକୁ ଦାବି କରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ୍ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply

Your email address will not be published.