ଓଭାଲ ମ୍ୟାଜିକ ପରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ମହମ୍ମଦ ସିରାଜ

Mohammad Siraj in career best form after Oval magic

39

ଦୁବାଇ, : ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ବଡ଼ ସଫଳତା । ଆଣ୍ଡରସନ-ତେନ୍ଦୁକର ଟେଷ୍ଟ ସିରିଜରେ ସିରାଜ ନିଜ ଯାଦୁ ଦେଖାଇଥିଲେ । ବିଶେଷ କରି ସିରିଜର ଶେଷ ମ୍ୟାଚ୍ ଅର୍ଥାତ ଦ ଓଭାଲରେ ସିରାଜଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ମିଆଁ ମ୍ୟାଜିକ ପରେ ଏବେ ସିରାଜ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ଲମ୍ପ ମାରିଛନ୍ତି । ସେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଆଇସିସି ପକ୍ଷରୁ ଜାରି ତଥ୍ୟ ଅନୁସାରେ, ମହମ୍ମଦ ସିରାଜ ଏକାଥରେ ୧୨ଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧୫ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ପ୍ରଥମ ଥର ପାଇଁ ସିରାଜ ତାଙ୍କ ଟେଷ୍ଟ କ୍ୟାରିୟରରେ ଏପରି ସଫଳତା ହାସଲ କରିପାରିଛନ୍ତି । ଏହାପୂର୍ବରୁ ସିରାଜ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଗୋଟିଏ ଥର ୧୬ ନମ୍ବର ସ୍ଥାନରେ ପହଞ୍ଚିଥିଲେ । ୨୦୨୪ ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପରେ ସିରାଜ ରାଙ୍କିଙ୍ଗର ୧୬ ନମ୍ବର ସ୍ଥାନ ଦଖଲ କରିଥିଲେ । କିନ୍ତୁ ଏବେ ସେ ୬୭୪ ପଏଣ୍ଟ ସହ ରାଙ୍କିଙ୍ଗର ୧୫ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି । ଦ ଓଭାଲରେ ଭାରତର ନାଟକୀୟ ବିଜୟର ହିରୋ ସିରାଜ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଏହି ମ୍ୟାଚର ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ସେ ୫ ୱିକେଟ ନେଇଥିଲେ । ଭାରତ ୩୭୪ ରନକୁ ଡିଫେଣ୍ଡ କରି ୬ ରନରେ ମ୍ୟାଚ୍‌ କବଜା କରିଥିଲା । ଟିମର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ସିରାଜ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇ ଭାରତକୁ ବିଜୟ ଭେଟି ଦେଇଥିଲେ । ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ୩୦ ବର୍ଷୀୟ ସିରାଜ ମୋଟ ୨୩ ୱିକେଟ ଦଖଲ କରିଛନ୍ତି । ସେ ପୂରା ସିରିଜରେ ୧୮୫.୨ ଓଭର ବୋଲିଂ କରିଥିଲେ । ତାଙ୍କ ଠାରୁ ଆଉ କେହି ବି ଅଧିକ ବୋଲିଂ କରିପାରି ନାହାନ୍ତି । ଆଇସିସିର ଟପ୍‌ ୧୫ ଟେଷ୍ଟ ବୋଲରଙ୍କ ମଧ୍ୟରେ ସିରାଜଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ରହିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ଖେଳିଥିଲେ ହେଁ ବିଶ୍ୱ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ୩ଟି ମ୍ୟାଚ୍ ଖେଳି ୧୪ଟି ୱିକେଟ ନେଇଥିଲେ । ବୁମ୍ରା ୮୮୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କାଗିସୋ ରବାଡାଙ୍କ ଠାରୁ ଏହା ୩୮ ପଏଣ୍ଟ ଅଧିକ । ଅନ୍ୟମାନଙ୍କ କଥା ବିଚାରକୁ ନେଲେ, ଓଭାଲ ଟେଷ୍ଟରେ ୮ ୱିକେଟ ନେଇଥିବା ଭାରତର ପ୍ରସିଦ୍ଧ କ୍ରିଷ୍ଣା ୨୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୫୯ତମ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ଗସ ଅଟକିନସନ ଓ ଜୋଶ ଟଙ୍ଗ ମଧ୍ୟ ନିଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିପାରିଛନ୍ତି । ଓଭାଲ ଟେଷ୍ଟରେ ଉଭୟ ୮ଟି ଲେଖାଏ ୱିକେଟ ନେଇଥିଲେ । ଅଟକିନସନ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୧୦ରେ ପ୍ରବେଶ କରିଥିବା ବେଳେ ଟଙ୍ଗ ୧୪ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫କୁ ପୁଣି ଫେରିଛନ୍ତି ଭାରତର ଯଶସ୍ୱୀ ଜୈସୱାଲ । ସେ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନ ଦଖଲ କରିଛନ୍ତି । ଋଷଭ ପନ୍ତ ଟପ୍ ୧୦ରେ ଥିଲେ ହେଁ ଗୋଟିଏ ସ୍ଥାନ ତଳକୁ ଖସି ୮ମ ଓ ଅଧିନାୟକ ଶୁବମନ ଗିଲ ୪ଟି ସ୍ଥାନ ତଳକୁ ଖସି ୧୩ ନମ୍ବରେ ପହଞ୍ଚିଛନ୍ତି । ପୂର୍ବଭଳି ଜୋ ରୁଟ ୧ନଂରେ ଓ କେନ ୱିଲିୟମସନଙ୍କୁ ପଛକୁ ଠେଲି ହ୍ୟାରୀ ବ୍ରୁକ ୨ନଂ ସ୍ଥାନ ଦଖଲ କରିଛନ୍ତି ।

Leave A Reply

Your email address will not be published.