ଦେଢ଼ କୋଟିରେ ସ୍ୱାମୀକୁ ବିକିଲା ସ୍ତ୍ରୀ

727

ଭୋପାଲ: ବଲିଉଡ ଫିଲ୍ମ ‘ଜୁଦାଇ’ରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ଅନୀଲ କପୁରଙ୍କୁ ଦୁଇ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଠିକ୍ ଏହି କାହାଣୀର ପୁନରାବୃତ୍ତି ଘଟିଛି ଅସଲ ଜୀବନରେ । ନିଜ ସ୍ୱାମୀକୁ ଦେଢ଼ କୋଟି ଟଙ୍କାରେ ତାଙ୍କ ପ୍ରେମିକାଙ୍କୁ ବିକ୍ରି କରିଦେଇଛନ୍ତି ସ୍ତ୍ରୀ । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବେ ଭୋପାଲ ଫ୍ୟାମିଲି କୋର୍ଟକୁ ଏକ ମାମଲା ଆସିଥିଲା । ଯେଉଁଥିରେ ଜଣେ ନାବାଳିକା ତାଙ୍କ ବାପାଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ । ବାପା ଅଫିସରେ ନିଜଠୁ ବୟସରେ ବଡ଼ ଥିବା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ଘରେ ପ୍ରତିଦିନ ଝଗଡା ହେଉଛି । ତେଣୁ ସେ ଏବଂ ତାଙ୍କ ଭଉଣୀ ପାଠ ପଢ଼ି ପାରୁ ନାହାନ୍ତି । ଏହାକୁ ନେଇ ସେ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନାବାଳିକାଙ୍କ ଅଭିଯୋଗ ପରେ କୋର୍ଟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସମନ ପଠାଇ କାଉନସେଲିଂ ପାଇଁ ଡକାଇଥିଲେ । କାଉନସେଲିଂରୁ ଜଣାପଡିଥିଲା ଯେ ପ୍ରେମ ସମ୍ପର୍କ ରଖିଥିବା ମହିଳାଙ୍କ ବୟସ ଠାରୁ ତାଙ୍କ ସ୍ୱାମୀଙ୍କ ବୟସ କମ୍ । ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀ ଗୋଟିଏ ଅଫିସରେ ହିଁ କାମ କରନ୍ତି । ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଉଭୟ ଏକାଠି ରହିବାକୁ ଚାହାନ୍ତି କିନ୍ତୁ ସ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି । କିଛି ସମୟ କାଉନସେଲିଂ ପରେ କୋର୍ଟ ସମାଧାନର ବାଟ ପାଇଥିଲେ । ପତ୍ନୀ ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡିବା ପାଇଁ ଗୋଟିଏ ସର୍ତ୍ତ ରଖିଥିଲେ । ଏହି ସର୍ତ୍ତ ଅନୁସାରେ ପ୍ରେମିକା ନିଜ ନାଁରେ ରଖିଥିବା ଏକ ପ୍ଲଟ୍ ସହ ପାଖାପାଖି ୨୭ ଲକ୍ଷ ଟଙ୍କା ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ଦେଇ ପ୍ରେମିକଙ୍କୁ ନିଜର କରିଥିଲେ । କାଉନ୍ସେଲିଂ ସମୟରେ ପତ୍ନୀ କହିଥିଲେ ଯେ ବାହାଘରର ଏତେ ଦିନ ପରେ ଯଦି ସ୍ୱାମୀ ଏବଂ ତାଙ୍କ ଭିତରେ ଭଲ ସମ୍ପର୍କ ରହୁନାହିଁ ତେବେ ସେ ପତିଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ତେଣୁ ସେ ଆଗକୁ ତାଙ୍କର ଦୁଇ ଝିଅଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ଘଟଣା ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.