ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ : ପୋଲିସର ତନାଘନା

177

କଟକ : ଜିମ୍‌ ଭିତରେ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଉକ୍ତ ଜିମ୍‌ ମାଲିକ । ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ । ପ୍ରଶିକ୍ଷଣ ଦେଇ ଏହି ସମ୍ପର୍କକୁ ନିବିଡ଼ କରିଥିଲେ । ହେଲେ ଏନର୍ଜି ଡ୍ରିଙ୍କ୍ସ(ଜିମ୍‌ ବ୍ୟବହାରକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପାନୀୟ)ରେ ନିଶା ଦେଇ ତାଙ୍କୁ ଜିମ୍‌ ଭିତରେ ହିଁ ଦୁଷ୍କର୍ମ କରିଥିଲେ । ଏହି ଘଟଣାର ଫଟୋ ରଖି ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଦେଇ ଆସୁଥିଲେ ମାନସିକ ଓ ଶାରୀରିକ ନିର୍ଯାତନା । ଶେଷରେ ଯୁବତୀ ଜଣକ ଅତିଷ୍ଠ ହୋଇ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ସିଡିଏ ସେକ୍ଟର-୯ ଅଞ୍ଚଳରେ ରହନ୍ତି ସୀମା(ଛଦ୍ମନାମ) । ଗତବର୍ଷ ଜାନୁଆରୀ ୨ ତାରିଖରେ ସେ ସ୍ଥାନୀୟ ଅଞ୍ଚଳର ଏକ ଜିମ୍ରେ ଯୋଗଦେଇଥିଲେ । ଜିମ୍‌ର ମାଲିକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ସେହିବର୍ଷ ଫେବୃଆରୀ ୧୨ ତାରିଖରେ ଜିମ୍‌ର ମାଲିକ ସୀମାଙ୍କୁ ପ୍ରେମ ନିବେଦନ କରିଥିଲେ । ଉଭୟଙ୍କ ଭିତରେ କିଛି ଦିନର ବନ୍ଧୁତା ସ୍ଥାପନ ହେବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଜିମ୍‌ରେ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ସୀମାଙ୍କୁ ସହଯୋଗ କରୁଥିଲେ ଜିମ୍‌ର ମାଲିକ । ୨୦୨୨ ମାର୍ଚ୍ଚ ୧୬ ତାରିଖର ଘଟଣା । ଜିମ୍‌ ବନ୍ଦ ହେବା ସମୟୟ ସୀମା ଜିମ୍‌ରେ ଶାରୀରିକ ଅଭ୍ୟାସ କରୁଥିଲେ । ଏହି ସମୟରେ ଜିମ୍‌ର ମାଲିକ ସେଠାରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

କିଛି ସମୟ ପରେ ଶରୀର ଫୂର୍ତ୍ତି ରହିବ ବୋଲି କହି ଏନର୍ଜି ଡ୍ରିଙ୍କ୍ସ ଏବଂ ପୁଷ୍ଟିକର ପାନୀୟ ଦେଇଥିଲେ । ଏହାକୁ ପିଇବା ପରେ ସୀମା ଫୂର୍ତ୍ତି ଅନୁଭବ କରିଥିଲେ ସୁଦ୍ଧା କିଛି ସମୟ ପରେ ନିସ୍ତେଜ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ଜିମ୍‌ ମାଲିକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉତ୍ତୋଳନ କରି ନେଇଥିଲେ । ଏହାପରେ ଏହି ଫଟୋ ସବୁ ଦେଖାଇ ବ୍ଲକ୍‌ମେଲିଂ କରିଥିଲେ ଜିମ୍‌ର ମାଲିକ । ଜିମ୍‌ ଏବଂ ମାଲିକଙ୍କ ଘରେ ବାରମ୍ବାର ସୀମାଙ୍କୁ ସେ ଦୁଷ୍କର୍ମ କରିଥିଲେ । ଏ ବିଷୟରେ ସୀମା ମର୍କତନଗର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.