ଦିନକୁ ଦିନ ସହରରେ ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଏକ ସତନ୍ତ୍ର ଟିମ୍ ଗଠନ ବିଏମ୍ସି
BMC forms special team as encroachment violence in the city increases day by day
ବ୍ରହ୍ମପୁର, : ଆକ୍ସନମୁଡ୍କୁ ଓହ୍ଲାଇଛି ବିଏମ୍ସି । ଦିନକୁ ଦିନ ସହରରେ ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଚାଲିଥିବା ବେଳେ ରାସ୍ତାଘାଟ ସଂକୀର୍ଣ୍ଣ ହେବାକୁ ଗଲାଣି। ବିଏମ୍ସି କମିସନର ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେ କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନରୁ ହିଁ ଗୁରୁତ୍ବ ଦେଇ ଆସୁଥିବା ବେଳେ ଚଳିତମାସ ୨୨ ତାରିଖରେ ଅନୁଷ୍ଠିତ କାଉନସିଲ୍ ବୈଠକରେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ସହରରୁ ଜବରଦଖଲ ହଟାଇବା ନେଇ ଦାବି କରିଥିଲେ । ବୈଠକରେ କମିସନର ତୁରନ୍ତ ଏକ ସତନ୍ତ୍ର ଟିମ୍ ଗଠନ କରାଯିବ ବୋଲି କହିଥିଲେ ଆଜି ବିଏମ୍ସି ପକ୍ଷରୁ ଜବରଦଖଲ ହଟାଇବା ପାଇଁ କମିସନର ୬ଟି ସ୍ଟାର୍ଡ଼ ଗଠନ କରିଛନ୍ତି| ୪୨ ୱାର୍ଡ଼ ବିଶିଷ୍ଟ ବିଏମ୍ସିକୁ ତିନିଟି ଜୋନ୍ରେ ବିଭକ୍ତ କରାଯାଇଛି। ୧୪ଟି ଲେଖାଏଁ ୱାର୍ଡ଼କୁ ଗୋଟିଏ ଜୋନ୍ କରି ଜଣେ ଲେଖାଏଁ ସହକାରୀ କମିସନରଙ୍କୁ ଏହାର ଦାୟିତ୍ଵ ଦିଆଯାଇଛି। ଜୋନ୍-୧ରେ ସହକାରୀ କମିଶନର୍ ବିକ୍ରମ ଶୁଣ୍ଡି ଜୋନ୍ କମାଣ୍ଡର୍ ହୋଇଥିବା ବେଳେ ଜୋନ୍-୨ରେ ସହକାରୀ କମିସନର ବିଭୂପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିଭଳି ଜୋନ୍-୩ରେ ସହକାରୀ କମିସନର ରୋଜିତ୍ କୁମାରଙ୍କୁ ଦାୟିତ୍ଵ ଦିଆଯାଇଛି। ପ୍ରତ୍ୟେକ ଜୋନ୍ ପାଇଁ ଦୁଇଟି ଲେଖାଏଁ ଟିମ୍ କରାଯାଇଛି। ପ୍ରତ୍ୟେକ ଟିମ୍ରେ ଜଣେ ଲେଖାଏଁ ଟିମ୍ ଲିଡର୍ଙ୍କ ନେତୃତ୍ବରେ ୫ ଜଣିଆ ସ୍କାର୍ଡ଼ ଗଠନ ହୋଇଛି। ତିନିଟି ଜୋନ୍ ପାଇଁ ମୋଟ ୬ଟି ଟିମ୍ ହୋଇଛି। ଗୋଟିଏ ଟିମ୍ ସକାଳ ୬ଟାରୁ ଅପରାହ୍ଣ ୨ଟାଏବଂ ଦ୍ଵିତୀୟ ଟିମ୍ ଅପରାହ୍ଣ ୨ଟାରୁ ରାତି ୧୦ଟା ଯାଏଁ ସହରରେ ବିସ୍ତୃତ ଏନ୍ଫୋର୍ସମେଣ୍ଟ କାମ କରିବେ । ଏହା ସହ ଟ୍ରେଡ୍ ଲାଇସେନ୍ସ, ଷ୍ଟଲ୍ଭଡ଼ା ଓ ୟୁଜର୍ସ ଫି ବାବଦରେ ପ୍ରତ୍ୟେକ ଗୁରୁବାର ଲୋକଙ୍କୁ ସଚେତନତା କରିବା ସହ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ପ୍ରମୁଖ ଆମିଷ ବଜାରରେ ରବିବାର, ବୁଧବାର ଓ ଶୁକ୍ରବାର ଦିନ ପୁଲିସ ପକ୍ଷରୁ ଏବଂ ଶନିବାର ଓ ରବିବାର ଦିନ ଟ୍ରାଫିକ୍ ପୁଲିସ ପକ୍ଷରୁ ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳର ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ହଟାଇ ଟ୍ରାଫିକ୍ ସମସ୍ୟାର ସୁଧାର ଆଣିବାକୁ ଗୁରୁତ୍ଵ ଦେବେ ବୋଲି କୁହାଯାଇଛି। ବିଏମ୍ସିର ଏନଫୋର୍ସମେଣ୍ଟ ଟିମ୍ ଓ ପୁଲିସର ମିଳିତ ଚଡ଼ଉ ଜାରି ରହିବା ପ୍ରତି ୧୫ଦିନରେ ସଂପୂର୍ଣ୍ଣ ବିବରଣୀ କମିସନରଙ୍କୁ ଅବଗତ କରାଇବା ସହିତ ଆଗାମୀ କାର୍ଯ୍ୟପନ୍ଥା ନେଇ ପଦକ୍ଷେପ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।