ସବୁ ପଞ୍ଚାୟତରେ ପହଞ୍ଚିବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ଭୁବନେଶ୍ୱର,: କେନ୍ଦ୍ର ସରକାର ଚଳିତ ମାସ ୧ରୁ ଆରମ୍ଭ କରିଥିବା ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାଚୁରେସନ୍ ଅଭିଯାନ ରାଜ୍ୟର ୬୨୧ଟି ପଞ୍ଚାୟତରେ ପହଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ମାସିଆ ଅଭିଯାନ ରାଜ୍ୟର ସମସ୍ତ ୬୭୯୪ ପଞ୍ଚାୟତରେ ପହଞ୍ଚିବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲବିସି), ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି । ୟୁକୋ ବ୍ୟାଙ୍କ କାର୍ଯ୍ୟାଳୟରେ ପିଆଇବି ଓଡ଼ିଶା ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନ ସମ୍ପର୍କରେ ଏସ୍ଏଲ୍ବିସି ସଂଯୋଜକ ଗୌତ୍ତମ ପାତ୍ର ସୂଚନା ଦେଇଥିଲେ । ଚଳିତ ମାସର ୨୧ ଦିନ ମଧ୍ୟରେ ଏହି ଅଭିଯାନରେ ରାଜ୍ୟରେ ୬୭୪୨ଜନ ଧନ ଖାତା ଖୋଲାଯାଇଛି । ୮୭୭୯ ଜଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଏବଂ ୧୦,୦୪୫ ଜଣ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି । ୨୯୩୮ ଜଣ ଅଟଳ ପେନସନ୍ ଯୋଜନାକୁ ସବ୍ସ୍କ୍ରାଇବ କହିଛନ୍ତି । ୭୧୭୮ ଜନ ଧନ ଖାତାର ପୁନଃ କେୱାଇସି କରାଯାଇଛି । ଏହି ଅଭିଯାନରେ ନିଷ୍କ୍ରିୟ ରହିଥିବା ଜନ ଧନ ଖାତାଗୁଡ଼ିକୁ ପୁନଃ ଯାଞ୍ଚ କରି ସକ୍ରିୟ କରାଯାଉଛି । ଡିଜିଟାଲ୍ ଠକେଇ, ଦାବିଦାର ନଥିବା ଜମା ଏବଂ ଖାତାରେ ନୋମିନି ମାନୋନୀତ କରିବା ନେଇ ସଚେତନତା ସୃଷ୍ଟି କରାଯାଉଛି । ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜନ ଧନ ଖାତା ସଂଖ୍ୟା ୨.୩୧ କୋଟିରୁ ଅଧିକ ରହିଛି । ସେହିପରି
୨.୧୯ କୋଟି ସୁରକ୍ଷା ବୀମା ଯୋଜନା ଓ ୯୨.୩୨ ଲକ୍ଷ ଜୀବନ ଜ୍ୟୋତି ବୀମା ଯୋଜନା ଖାତା ରହିଛି । ଏହି ଅବସରରେ ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ୟୁକୋ ବ୍ୟାଙ୍କର ଡିଜିଏମ୍ ଭଗବତ ସିଂହ ଭାକୁନି, କଟକ ଜୋନାଲ୍ ମ୍ୟାନେଜର ବର୍ଷା ଓ ଏସ୍ଏଲବିସି ଓଡ଼ିଶାର ଏଜିଏମ୍ ଇନ୍ଚାର୍ଜ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ ।