ଭାରତ ସୀମାକୁ ପ୍ରବେଶପୂର୍ବରୁ ଚୀନରୁ ଉଡିଥିଲା ପାକ ଡ୍ରୋନ
ଚଣ୍ଡିଗଡ଼ : ଗତବର୍ଷ ଡିସେମ୍ବର ମାସରେ ପାକିସ୍ତାନ ପଟରୁ ଆସିଥିବା ଯେଉଁ ଡ୍ରୋନକୁ ବିଏସଏଫ ଯବାନମାନେ ମାରି ଖସେଇ ଦେଇଥିଲେ, ତାହା ଭାରତ ସୀମାକୁ ଆସିବା ପୂର୍ବରୁ ଚୀନ୍ରୁ ଉଡିଥିଲା । ଏହା ଛଡା ଡ୍ରୋନକୁ ପାକିସ୍ତାନର ଭିନ୍ନ ଭିନ୍ନ ୨୮ଟି ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇଥିଲା । ଫରେନସିକ୍ ଆନାଲିସିସ୍ ପରେ ବିଏସଏଫ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡ୍ରୋନକୁ ଗତବର୍ଷ ଡିସେମ୍ବର ୨୫ ତାରିଖ ଦିନ ଅମୃତସର ସୀମାରେ ଗୁଳିକରି ଖସାଇ ଦିଆଯାଇଥିଲା ।
ଡ୍ରୋନ ପାକିସ୍ତାନ ପଟରୁ ଭାରତକୁ ଆସିଥିଲା ଓ ଅନ୍ତର୍ଜାତୀୟ ସୀମାରେ ସତର୍କ ବିଏସଏଫ ଯବାନମାନେ ଏହାକୁ ମାରି ଖସେଇ ଦେଇଥିଲେ । ଆନାଲିସିସ୍ ଅନୁସାରେ ଡ୍ରୋନର ଅବଶେଷରେ ପାକିସ୍ତାନ ଓ ଚୀନର ଫୁଟପ୍ରିଣ୍ଟ ସ୍ପଷ୍ଟ ଦେଖି ହେଉଥିଲା । ଡ୍ରୋନକୁ ଖସାଇ ଦିଆଯିବା ପରେ ଅମୃତସର ଜିଲ୍ଲା ଗରିନ୍ଦା ଥାନାରେ ରିପୋର୍ଟ କରାଯାଇଥିଲା । ପାକିସ୍ତାନ ସୀମାରୁ ଭାରତକୁ ଅନୁପ୍ରବେଶ କରିବା ମାତ୍ରେ ଅମୃତସରର ରାଜାତାଲ ଗାଁରେ ଡ୍ରୋନକୁ ଖସାଇ ଦିଆଯାଇଥିଲା ।
ଡ୍ରୋନକୁ ସନ୍ଧାନ କରି ଏକ କୃଷିକ୍ଷେତ୍ରରୁ କ୍ୱାଡକାଫ୍ଟର ଡ୍ରୋନକୁ ବିଏସଏଫ ଖୋଜି ପାଇଥିଲା । ବିଏସଏଫ କହିଛି ଯେ ଡ୍ରୋନକୁ ଇଣ୍ଟରସେ କରିବା ପାଇଁ ଫାଇରିଂ ମଧ୍ୟ କରାଯାଇଥିଲା । ପୋଲିସ ଓ
ଅନ୍ୟ ଏଜେନ୍ସୀଙ୍କ ଦ୍ୱାରା ପୁରା କ୍ଷେତ୍ରକୁ ଘେରାଉ କରାଯାଇଥିଲା । ଡ୍ରୋନରେ ହାତ ହତିଆର ଓ ଗୋଳାବାରୁଦ ସହିତ ଡ୍ରଗ୍ସ ମଧ୍ୟ ତସ୍କରୀ କରାଯାଉଛି । ଯାହା ଏବେ ବିଏସଏଫ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଏସଏଫ ଭାରତ ଓ ପାକିସ୍ତାନ ସୀମାର ୩ ହଜାର ୩୨୩ କିଲୋମିଟର ଅଞ୍ଚଳର ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଛି ।