ଦୁଇ ମୋବାଇଲ ଲୁଟେରା ଗିରଫ
କଟକ : କ୍ୟାଣ୍ଟନମେଣ୍ଟ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ଥାନାର ପୋଲିସ ଟିମ୍ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍ ଫୋନ୍ ଲୁଟେରାଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୯୦ଟି ମୋବାଇଲ ଫୋନ୍ ଜବତ କରିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ । ସାମ୍ବାଦିକ ସମ୍ମିଳନୀରେ ବୁଧବାର ଅତିରିକ୍ତ ଡିସିପି ଶେଖ ସରିଫଉଦ୍ଦିନ କହିଛନ୍ତି, ଅଭିଯୁକ୍ତମାନେ କଟକ ଓ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ମେଳା, ମହୋତ୍ସବ ଓ ବସ୍ ଯାତ୍ରା ସମୟରେ ମୋବାଇଲ ଲୁଟ୍ କରୁଥିଲେ ।
ଜବତ ମୋବାଇଲ ଗୁଡିକ ମଧ୍ୟରେ ଅଧିକାଂଶ ରହିଛି ଦାମିକିଆ ସ୍ମାର୍ଟଫୋନ୍ । ଅଭିଯୁକ୍ତମାନେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିଲେ । ମୋବାଇଲ ଲୁଟ୍ କରି ଏହାକୁ ଅନ୍ୟ ରାଜ୍ୟରେ ବିକ୍ରି କରୁଥିଲେ । ନିଜକୁ ରାଜମିସ୍ତ୍ରୀ ଓ ଦିନ ମଜୁରିଆ ଭାବେ ପରିଚୟ ଦେଉଥିଲେ । ଜବତ ହୋଇଥିବା ୯୦ଟି ମୋବାଇଲର ଆନୁମାନିକ ମୂଲ୍ୟ ପାଖାପାଖି ୧୭ ଲକ୍ଷ ଟଙ୍କା ହେବ ।