ବଳବତ୍ତର ରହିବ ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି: ଜୟଶଙ୍କର

74

ନୂଆଦିଲ୍ଲୀ, : ପହଲଗାମ ନରସଂହାର ପରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ଭାରତ ସରକାର ରୋକ ଲଗାଇ ଦେଇଛନ୍ତି । ଏହା ଉପରେ ପୁଣି ବିଚାର କରିବାକୁ ପାକିସ୍ତାନ ଭାରତକୁ ଚିଠି ଲେଖିବାର ଦିନକ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । ପାକିସ୍ତାନ ସୀମା ପାର ଆତଙ୍କବାଦ ଉପରେ ସଂପୂର୍ଣ୍ଣ ଭାବେ ରୋକ ନ ଲଗାଇବା ଯାଏ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିଥିଲା ଓ ପାକିସ୍ତାନ ଦାୟିତ୍ୱବାନ ଏବଂ ସଠିକ ଢଙ୍ଗରେ ସୀମା ପାର ଆତଙ୍କବାଦକୁ ବନ୍ଦ ନ କରିବା ଯାଏ ଏହା ବଳବତ୍ତର ରହିବ । ସେହିପରି ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଅଲୋଚନା କରିବାକୁ ଭାରତ ରାଜି । କିନ୍ତୁ ଏହି ଆଲୋଚନା କେବଳ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ଅଞ୍ଚଳ ଫେରାଇବା ସମ୍ପର୍କରେ ହେବ ବୋଲି ଜୟଶଙ୍କର କହିଛନ୍ତି । ବୈଦେଶିକ ବ୍ୟାପର ମନ୍ତ୍ରୀ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ \”ଶୂନ ଟାରିଫ\’ ଦାବି ଉପରେ ମଧ୍ୟ ମତ ରଖିଛନ୍ତି । ଟ୍ରମ୍ପ ଦୋହାରେ କହିଥିଲେ, ସେମାନେ (ଭାରତ) ଆମକୁ ଡିଲର ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟତଃ ସେମାନେ ଆମ ଉପରେ କୌଣସି ପ୍ରକାରର ଟାରିଫ ନ ଲଗାଇବାକୁ ରାଜି ହୋଇଛନ୍ତି । ହେଲେ ଏଥିରେ କୌଣସି ସତ୍ୟତା ନଥିବା ଜୟଶଙ୍କର କହିଛନ୍ତି । ସେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବା ଟ୍ରେଡ ଆଲୋଚନା ଚାଲିଛି । ଏଗୁଡ଼ିକ ଜଟିଳ ବୁଝାମଣା । ସବୁ କିଛି ନ ତୁଟିବା ଯାଏ କୌଣସି ନିଷ୍ପତ୍ତି ହୁଏ ନାହିଁ । ଦୁଇ ପକ୍ଷର ଫାଇଦାକୁ ଦୃଷ୍ଟିରେ ରଖି ଯେକୌଣସି ଡିଲ ହୋଇଥାଏ । ଡିଲ ଉଭୟ ଦେଶକୁ ସୁହାଉଥିବା ଉଚିତ । ବାଣିଜ୍ୟ ଡିଲରୁ ଆମର ଏମିତି ସବୁ କିଛି ଆଶା ରହିଥାଏ । ସବୁ କିଛି ଆଲୋଚନା ନହେବା ଯାଏ, କିଛି ବି ଆକଳନ କରିବା ଠିକ ନୁହେଁ । ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବିରତି ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନର ସାମରିକ ଘାଟି ଗୁଡ଼ିକ କେଉଁ ଧରଣର କ୍ଷତିଗ୍ରସ୍ତ ହୋଇଛି, ସେକଥା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି । ଏହାକୁ ଦେଖିବା ପରେ ସମସ୍ତେ ଜାଣିପାରୁଥିବେ ଯେ ଯୁଦ୍ଧ ବିରତି ପାଇଁ କିଏ ଆଗେଇ ଆସିଥିଲା । ଆମେ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ ପାଇଁ ରଖିଥିବା ଲକ୍ଷ୍ୟକୁ ହାସଲ କରିବାକୁ ସକ୍ଷମ ହୋଇଛୁ । ଏପରି କି ଅପରେସନ ଆରମ୍ଭ ହେବା ବେଳେ ଆମେ ପାକିସ୍ତାନକୁ ଗୋଟିଏ ବାର୍ତ୍ତା ଦେଇଥିଲୁ ଯେ ଭାରତ କେବଳ ଆତଙ୍କୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି । ଆମେ ସାମରିକ ଘାଟିକୁ ଟାର୍ଗେଟ କରି ନଥିଲୁ । ତେଣୁ ସାମରିକ ହସ୍ତକ୍ଷେପର ଆବଶ୍ୟକ ନାହିଁ । କିନ୍ତୁ ସେମାନେ ଆମ ତରଫରୁ ମିଳିଥିବା ଭଲ ପରାମର୍ଶକୁ ଗ୍ରହଣ କରି ନଥିଲେ । ଯେତେବେଳେ ସେମାନଙ୍କୁ ଜୋରଦାର କ୍ଷତି ସହିବାକୁ ପଡ଼ିଥିଲା ସେତେବେଳେ ସେମାନେ ଯୁଦ୍ଧ ବିରତି ପାଇଁ ଦୌଡ଼ି ଆସିଥିଲେ । ଆମେ କେତେ କ୍ଷତି କରିଛୁ ଓ ସେମାନେ କେତେ କ୍ଷତି କରିଛନ୍ତି, ତା\’ର ସ୍ୟାଟେଲାଇଟ ଇମେଜ ଆସି ସାରିଛି । ତେଣୁ କିଏ ଗୁଳି ମାଡ଼ ବନ୍ଦ କରିବାକୁ ଚାହୁଁଥିଲା, ଉକ୍ତ ଛବିରୁ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.