ଭୁବନେଶ୍ୱର ଏମ୍‌ସର ନୂଆ  ସଫଳତା

146

ଗତ ଡିସେମ୍ବର ୯। ରାତି ୧୦। ଭୁବନେଶ୍ୱର ଏମ୍ସ ଏମର୍ଜେନ୍ସି ଓ୍ବାର୍ଡରେ ପହଞ୍ଚିଲେ ପୁରୀ କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗାଁର ସ୍ୱାଧୀନ ଦାସ। ସାଙ୍ଗରେ ବରଫ ପ୍ୟାକେଟରେ ଥିଲା ଏକ କଟା ହାତ, ଯାହାକି ତାଙ୍କ ଭଉଣୀ  ବର୍ଷାଙ୍କର।  ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବର୍ଷା।  କାଳ ବିଳମ୍ବ ନ କରି ଏମ୍ସ କର୍ତ୍ତୃପକ୍ଷ ବର୍ଷାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜୟ ଗିରିଙ୍କ ନେତୃତ୍ୱରେ ୯ ଜଣ ଡାକ୍ତର ଓ ୨ ଜଣ ନର୍ସଙ୍କୁ ନେଇ ଗଠନ ହେଲା ଟିମ୍  ଯେଉଁଥିରେ ଥିଲେ ପ୍ଲାଷ୍ଟିକ୍ ସର୍ଜରୀ ସହିତ ଆନାସ୍ଥେସିଆ, ଅର୍ଥୋପେଡିକ୍ ଓ ଅନ୍ୟ ବିଭାଗର ବିଶେଷଜ୍ଞ। ଆରମ୍ଭ ହେଲା ବର୍ଷାଙ୍କ କଟା ହାତ ଯୋଡ଼ା ଅଭିଯାନ। ସାରା ରାତି ଚାଲିଲା ଅପରେସନ ଡାକ୍ତରୀ ଟିମ୍‌ର ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ସକାଳ ୮ଟାରେ ସରିଲା ହାତ ଯୋଡ଼ା। ଶରୀରରୁ ପୃଥକ ହୋଇଯାଇଥିବା ହାତକୁ ଯୋଡ଼ିବାରେ ଭୁବନେଶ୍ୱର ଏମ୍ସର ଏହା ପ୍ରଥମ ସଫଳତା।  ୨୫ ବର୍ଷୀୟା ବର୍ଷାଙ୍କ ଘରକୁ ସେଦିନ ଧାନ କଟା ମେସିନ୍ ଆସିଥାଏ। ଧାନ ଅମଳ ଚାଲିଥାଏ। ପାଖରେ ଛିଡ଼ା ହୋଇ ଦେଖୁଥିଲେ ବର୍ଷା। ହଠାତ୍ ବର୍ଷାଙ୍କ ଦୁପଟା ସହ ବାମ ହାତଟି ଟାଣିହୋଇ ଧାନ କଟା ମେସିନ୍ ଭିତରକୁ ପଶିଗଲା। ଆଖି ପିଛୁଳାକେ ହାତ ଦୁଇ ଗଡ଼ ହୋଇଗଲା। କଟା ହାତଟି ୫୦ ମିଟର ଦୂରକୁ ଛିଟିକି ପଡ଼ିଲା। ବର୍ଷାଙ୍କ ପରିବାର ଲୋକ ପ୍ରଥମେ ନିକଟସ୍ଥ ସରକାରୀ ହସ୍ପିଟାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଗଲେ। ଉଭୟ ଡାକ୍ତରଖାନାରେ ନିରାଶ ହେବାପରେ ଶେଷରେ ଭୁବନେଶ୍ୱର ଏମ୍ସକୁ ୬ ଘଣ୍ଟା ବିଳମ୍ବରେ ଆସିଥିଲେ ବର୍ଷା। ଯଦିଓ ବର୍ଷା ହୋସ୍‌ରେ ଥିଲେ, ଆଖି ଆଗରେ କଟା ହାତକୁ ଦେଖି ବଞ୍ଚିବାର ଆଶା ଛାଡ଼ି ସାରିଥିଲେ।  ଏ ଭିତରେ ଦୁଇ ସପ୍ତାହ ବିତି ସାରିଛି। ଅପରେସନ ପରେ ବର୍ଷାଙ୍କ ବାମ ହାତ ଧୀରେ ଧୀରେ କାମ କରିବାକୁ ଆରମ୍ଭ କରିଛି।6 ମାସ ମଧ୍ୟରେ ଏହା ସ୍ୱାଭାବିକ ହୋଇଯିବା ଆଶା ରହିଛି। ପରିବାରର ତତ୍ପରତା ଓ ଡାକ୍ତରଙ୍କ ଉଦ୍ୟମରୁ ଭିନ୍ନକ୍ଷମ ହେବାରୁ ବର୍ତ୍ତି ଯାଇଛନ୍ତି ବର୍ଷା।

Leave A Reply

Your email address will not be published.