ଆଜିଠୁ ପୁଣି ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ
ଡୁମାଣୀ ଟିଭି ,୨୭/୩ : ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିବା ପରେ ଆଜି ରବିବାର ଠାରୁ ପୁଣିଥରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଫଳରେ ବିଦେଶ ଯାତ୍ରା କରିବା ଲୋକଙ୍କ ପାଇଁ ଆହୁରି ସହଜ ହୋଇଯିବ। ଫଳରେ ବିକାଶର ରାସ୍ତା ଖୋଲିବ। କରୋନା ସଂକ୍ରମଣ ରୋକିବାକୁ ୨୩ ମାର୍ଚ୍ଚ ୨୦୨୦ରୁ ହିଁ ନିୟମିତ ଉଡ଼ାଣ ବନ୍ଦ ଥିଲା। କିନ୍ତୁ ଏବେ ଭାରତରେ ସଂକ୍ରମଣ କମିଥିବାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଯାତ୍ରୀଙ୍କୁ ଏବେ ବି କେତେକ ନିୟମ ପାଳନ କରିବାକୁ ହେବ।
ନିକଟରେ ନାଗରିକ ଉଡ଼ାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଘୋଷଣା କରିଥିଲେ ଯେ ଏୟାର ବବଲ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରାଯାଇଛି। ସେ ସମର ସିଡ୍ୟୁଲ ୨୦୨୨ ଆରମ୍ଭରୁ କମର୍ସିଆଲ ଇଣ୍ଟରନ୍ୟାସନାଲ ପାସେଞ୍ଜର ସର୍ଭିସକୁ ପୁଣିଥରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ଫ୍ଲାଇଟ୍ସକୁ ନେଇ କୋଭିଡ୍-୧୯ର ଗାଇଡ୍ଲାଇନ୍ ଜାରି କରାଯାଇଛି। ନୂଆ ସଂଶୋଧିତ ଗାଇଡ୍ଲାଇନ୍ ମୁତାବକ, ଅନ୍ତର୍ଜାତୀୟ ଉଡ଼ାଣରେ ୩ ସିଟ୍କୁ ଖାଲି ରଖିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ଫ୍ଲାଇଟ୍ର କ୍ରୁ ମେମ୍ବର୍ସ ପାଇଁ ପିପିଇ କିଟ୍ ପିନ୍ଧିବା ଆବଶ୍ୟକତାକୁ ବି ହଟାଇ ଦିଆଯାଇଛି। ଏବେ ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ପେଟ୍ଡାଉନ୍ ସର୍ଚ୍ଚ ବା ଫିଜିକାଲ ସର୍ଚ୍ଚକୁ ପୁଣିଥରେ ଆରମ୍ଭ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ନୂଆ କରୋନା ଗାଇଡ୍ଲାଇନ୍ ମୁତାବକ, ଯାତ୍ରୀମାନେ ଏୟାରପୋର୍ଟ ପରିସର ଓ ଫ୍ଲାଇଟ୍ ଭିତରେ ମାସ୍କ ପିନ୍ଧିବା ନିୟମ ଏବେ ବି ବଜାୟ ରହିବ।
