ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର

629

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଡ୍‌‌ଗପୁରସ୍ଥିତ ଆଇଆଇଟିର ୨୬ତମ ସମାବର୍ତନ ଉତ୍ସବରେ ଏକ ଭିଡିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ ପୂର୍ବକ ଅଭିଭାଷଣ ଦେଇଛନ୍ତି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମସଚେତନ ହେବା, ଆତ୍ମବିଶ୍ୱାସୀ ହେବା ଏବଂ ନିଃସ୍ୱାର୍ଥପର ହେବା ପାଇଁ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଦିନଟି କେବଳ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସମଗ୍ର ଦେଶ ପାଇଁ ‘ନୂଆ ଭାରତ’ର ଛାତ୍ରଛାତ୍ରୀମାନେ ପ୍ରତିନିଧିତ୍ୱ କରୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ । ଏଠାରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରୁଥିବାରୁ ଦେଶର କୋଟି କୋଟି ଲୋକଙ୍କ ଜୀବନ ବଦଳାଇ ଦେବା ଭଳି ଷ୍ଟାର୍ଟଅପ ସୃଷ୍ଟି ଏବଂ ନୂଆ ଉଦ୍ଭାବନ କରିବା ପାଇଁ କହିଛନ୍ତି । ଆଜି ଛାତ୍ରଛାତ୍ରୀମାନେ ପାଇଥିବା ଡିଗ୍ରୀ କୋଟି କୋଟି ଲୋକଙ୍କର ଆଶାର ପ୍ରତିନିଧି ସ୍ୱରୂପ । ତେଣୁ ଏହାକୁ ସେମାନେ ପୂରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତ ଆବଶ୍ୟକ କରୁଥିବା ଆଶାକୁ ପୂରଣ କରିବା ପାଇଁ ଆଜି କାର୍ଯ୍ୟ କରିବା ଦରକାର । ଏହାହିଁ ହେବ ଆସନ୍ତାକାଲିର ଉଦ୍ଭାବନ । ଜଣେ ଇଞ୍ଜିନିୟରଙ୍କର ଦୃଷ୍ଟିରେ କୌଣସି ଜିନିଷକୁ ବିସ୍ତୃତଭାବରେ ଦେଖି ପାରିବାର ଶକ୍ତି ରହିଛି । ଏହାଦ୍ୱାରା ନୂଆ ନୂଆ ଆବିଷ୍କାର ଏବଂ ଭବିଷ୍ୟତର ନୂଆ ସୃଷ୍ଟି କରାଯାଇପାରିବ । ସମ୍ବଳର ସଂଚୟ ସହିତ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା ତଥା ଜୀବନ ଧାରଣର ମାନ ଉନ୍ନତ ହୋଇପାରିବା ଭଳି କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ଖୋଜି ବାହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ କହିଛନ୍ତି ।

ଭବିଷ୍ୟତ ଜୀବନରେ ସନ୍ଦେହ ଓ ପ୍ରତିବନ୍ଧକକୁ ନିଜେ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ତିନୋଟି ମନ୍ତ୍ର ଦେଇଛନ୍ତି । ତାହା ହେଲା ଆତ୍ମ ସଚେତନତା, ଆତ୍ମ ବିଶ୍ୱାସ ଏବଂ ନିଜେ ସଚ୍ଚୋଟ ତଥା ନିଃସ୍ୱାର୍ଥପର ହେବା । ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ଆଗେଇ ଯିବା, ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗେଇ ଯିବା ଏବଂ ନିଃସ୍ୱାର୍ଥପର ଭାବରେ ଆଗକୁ ଚାଲିବା ପାଇଁ ସେ ଛାତ୍ର ସମାଜକୁ ଉପଦେଶ ଦେଇଛନ୍ତି ।

ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ତରବର ହେବା ଗୁଣର ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେକୌଣସି ଏକ ଉଦ୍ଭାବନ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ହୁଏତ ହାସଲ ହୋଇ ନ ପାରେ, ତେବେ ସେହି ଅସଫତଳାକୁ ମଧ୍ୟ ସଫଳତା ଭାବରେ ବିବେଚନା କରାଯିବ । କାରଣ ସେଥିରୁ ଅନେକ କିଛି ଶିକ୍ଷାଲାଭ ହୋଇପାରିଥାଏ । ଏକବିଂଶ ଶତାବ୍ଦୀରେ ନୂତନ ଭାରତର ଆଶା ପୂରଣ କରିବା ପାଇଁ ଆଇଆଇଟି, ଭାରତୀୟ ବୈଷୟିକ ପ୍ରତିଷ୍ଠାନକୁ ଉନ୍ନତ ସୋପାନକୁ ନେଇ ଆଇଆଇଟି, ସ୍ୱଦେଶୀ ବୈଷୟିକ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ସମାଧାନ ପାଇଁ ସଂଘର୍ଷ କରୁଥିବା ସମୟରେ ଭାରତ ଆନ୍ତର୍ଜାତିକ ସୌରଶକ୍ତି ସହଯୋଗର ପରିକଳ୍ପନା କରି ଏହାକୁ ସାକାର କରିବାକୁ ଆଗେଇ ଆସିଛି । ୟୁନିଟ୍ ପିଛା ସବୁଠାରୁ କମ୍ ଖର୍ଚ୍ଚରେ ବିଜୁଳୀ ଉତ୍ପାଦନ କରାଯାଉଥିବା ଦେଶ ମଧ୍ୟରେ ଭାରତ ରହିଥିବା ସେ କହିଛନ୍ତି । କିନ୍ତୁ ଘରକୁ ଘର ବିଜୁଳୀ ସଂଯୋଗ ଦେବା କ୍ଷେତ୍ରରେ ଅନେକ ଅସୁବିଧା ରହିଛି । ପରିବେଶର କ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣି ବ୍ୟବହାରକାରୀର ଅନୁକୂଳ ହେବା ଏବଂ ଦୀର୍ଘସ୍ଥାୟୀ କରାଯିବା ବୈଷୟିକ କୌଶଳ ବର୍ତମାନ ଭାରତ ଆବଶ୍ୟକ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ବିପର୍ଯ୍ୟୟ ପରିଚାଳନା ବିଷୟ ଉପରେ ବିଶ୍ୱର ଦୃଷ୍ଟି ଭାରତ ଉପରେ ନିବଦ୍ଧ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବଡ ବଡ ବିପର୍ଯ୍ୟୟ ସମୟରେ ଭିତିଭୂମି ଏବଂ ଧନଜୀବନ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ଦୁଇବର୍ଷ ପୂର୍ବେ ବିପର୍ଯ୍ୟୟ କ୍ଷେତ୍ରରେ ପୂର୍ବାବସ୍ଥାକୁ ଫେରିବା ଭଳି ଭିତିଭୂମି ପ୍ରତିଷ୍ଠା ପାଇଁର୍ ମିଳିତ ଜାତିସଂଘରେ ଭାରତ ସହଯୋଗର ଉଦ୍ୟମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟଭାବେ ସୃଜନଶୀଳତାର ଗୁରୁତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିଳ୍ପ କ୍ଷେତ୍ରରେ ଏୟାର ଇଣ୍ଡିଆ ସମ୍ପର୍କୀତ ଗବେଷଣା, ଇଣ୍ଟରନେଟ୍ କ୍ଷେତ୍ର ଏବଂ ଆଧୁନିକ ନିର୍ମାଣ ଆଦିରେ ଥିବା ବୈଷୟିକ ଜ୍ଞାନ କ୍ଷେତ୍ରରେ ଖଡଗପୁରସ୍ଥିତ ଆଇଆଇଟିର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନା ବିରୁ୍‌‌ଦ୍ଧରେ ଲଢେଇରେ ଆଇଆଇଟି ଖଡଗପୁରର ସଫ୍ଟୱେୟାର ଜ୍ଞାନ ବେଶ୍ ଉପାଦେୟ ହୋଇଛି । ଭବିଷ୍ୟତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବୈଷୟିକ ଆହ୍ୱାନର ମୁକାବିଲା ଦିଗରେ ତୁରନ୍ତ କାର୍ଯ୍ୟ କରିବାକୁ ସେ ପ୍ରତିଷ୍ଠାନକୁ କହିଛନ୍ତି । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଉପକରଣ ଗୁଡିକର ବିଶାଳ ବଜାର ରହିଛି । ସ୍ୱାସ୍ଥ୍ୟ ଏବଂ ସୁସ୍ଥ ରହିବା ସମ୍ପର୍କୀତ ଉପକରଣଗୁଡିକର ବଜାର ସମ୍ପ୍ରସାରଣ ଘଟୁଛି । ଲୋକଙ୍କ କିଣିପାରିବାର କ୍ଷମତା ଥିବା ମୂଲ୍ୟରେ ଏବଂ ଉଚିତ ମୂଲ୍ୟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କୀତ ଉପକରଣ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

 କରୋନା ମହାମାରୀ ପରେ ବିଶ୍ୱସ୍ତରୀୟ ଏକ ମୁଖ୍ୟ ଶକ୍ତିଭାବରେ ବିଜ୍ଞାନ, ବୈଷୟିକ ଗବେଷଣା ଏବଂ ସୃଜନଶୀଳତା କ୍ଷେତ୍ରରେ ଭାରତ ଉଭା ହୋଇଛି ବୋଲି ସେ କହିଛନ୍ତି । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବଜେଟ ଅଟକଳ ବୃଦ୍ଧି କରିବା ପାଇଁ ଏହା ଉତ୍ସାହିତ କରିଛି । ଏହି ଅଳ୍ପଦିନ ତଳେ ମାନଚିତ୍ର ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କୀତ କାର୍ଯ୍ୟଗୁଡିକୁ ସରକାର ନିୟନ୍ତ୍ରଣମୁକ୍ତ କରିଛନ୍ତି । ବୈଷୟିକ ଷ୍ଟାର୍ଟଅପ, ପରିବେଶ ସମ୍ପର୍କୀତ କାର୍ଯ୍ୟ, ଆତ୍ମନିର୍ଭର ଭାରତ ପାଇଁ ଅଭିଯାନ ଆଦି କ୍ଷେତ୍ରକୁ ଏହା ସୁଦୃଢ କରିବା ସହିତ ଦେଶର ଯୁବ ଷ୍ଟାର୍ଟଅପ୍ ଏବଂ ଉଦ୍‌‌ଭାବକମାନଙ୍କୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂଆ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ୍‌‌ଗପୁରର ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ଉଦ୍ଭାବନ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ନୂଆ ଜ୍ଞାନ ଦେବାର ଅନ୍ୱେଷଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସଂସ୍ଥାର ପ୍ରଶଂସା କରିଛନ୍ତି । ଦେଶ ୭୫ତମ ସ୍ୱାଧୀନତାର ବାର୍ଷିକୀ ପାଳନ କରିବା ଅବସରରେ ଏହି ସଂସ୍ଥାନର ୭୫ଟି ମୁଖ୍ୟ ଉଦ୍ଭାବନକୁ ନେଇ ଏକ ଚୟନିକା ପ୍ରସ୍ତୁତ କରିବାକୁ ସେ କହିଛନ୍ତି । ଏହି ଚୟନିକାକୁ ଦେଶ ତଥା ବିଶ୍ୱ ଦରବାରରେ ପହଂଚାଇବାକୁ ମଧ୍ୟ ଉଦ୍ୟମ ପାଇଁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ନୂଆ ଉଦ୍ଭାବନ ଏବଂ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ଦେଶ ପ୍ରେରଣା ପାଇବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

 ପ୍ରଧାନମନ୍ତ୍ରୀଙ୍କର ଏହି ଉଦ୍‌‌ବୋଧନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତରେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.