ମନି ଲଣ୍ଡେରିଙ୍ଗ ମାମଲାରେ ପୁଣି ସୋନିଆ ଙ୍କୁ ନୋଟିସ ଜାରି କଲା ଇଡି
ନୂଆଦିଲ୍ଲୀ , ୧୨/୦୭: ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣି ଥରେ ପଚରାଉଚରା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ନୋଟିସ ପଠାଯାଇଛି। ଏହି ମାମଲାରେ ଅର୍ଥ ହେରଫେର ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋନିଆ ଗାନ୍ଧୀଙ୍କୁ ଜୁଲାଇ ୨୧ ରେ ହାଜର ହେବାକୁ କହିଛନ୍ତି। ଏହାପୂର୍ବରୁ ଇଡି ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦୁଇଥର ନୋଟିସ ପଠାଇଥିଲା , କିନ୍ତୁ ସେତେବେଳେ ୭୫ ବର୍ଷିୟ ସୋନିଆ ଗାନ୍ଧୀ କରୋନା ସଂକ୍ରମଣ ଏବଂ ପରବର୍ତ୍ତୀ ଅସୁସ୍ଥତା କାରଣରୁ ଉଭୟ ଥର ତଦନ୍ତରେ ଯୋଗ ଦେଇପାରିନଥିଲେ।
ଇଡି ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ ରେ ପଚରା ଉଚରା ପାଇଁ ହାଜର ହେବାକୁ କହିଥିଲେ। ସେତେବେଳେ ସୋନିଆ ଗାନ୍ଧୀଙ୍କୁ କରୋନା ସଂକ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହା ପରେ ତାଙ୍କୁ ଜୁନ୍ ୨୩ ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ଫୁସଫୁସ ସଂକ୍ରମଣ ହେତୁ ଘରେ ବିଶ୍ରାମ ନେବାକୁ ଡାକ୍ତର ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେଇଥିଲେ । ଏହାକୁ ଦର୍ଶାଇ କଂଗ୍ରେସ ସଭାପତି ଇଡି ରେ ହାଜର ହେବାପାଇଁ ୪ ସପ୍ତାହ ସମୟ ମାଗିଥିଲେ। ଏହି କାରଣରୁ ତାଙ୍କୁ ବର୍ତ୍ତମାନ ୨୧ ଜୁଲାଇରେ ଡକାଯାଇଛି।
ଏହି ମାମଲାରେ ପଚରାଉଚରା ପାଇଁ ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଥିଲା । ଜୁନ୍ ମାସରେ, ତାଙ୍କୁ ପାଞ୍ଚ ଦିନ ପାଇଁ ଦୈନିକ ୧୦ ରୁ ୧୧ ଘଣ୍ଟା ପଚରାଉଚରା କରାଯାଇଥିଲା | କଂଗ୍ରେସ କର୍ମୀମାନେ ଏ ବାବଦରେ ସାରା ଦେଶରେ ଏକ ବିବାଦ ସୃଷ୍ଟି କରିଥିଲେ।