ଋଷ ୟୁକ୍ରେନ ଯୁଦ୍ଧର ବିଭୀଷିକା ମଧ୍ୟରେ କୁନି ଝିଅର ନିଜ ମା ପ୍ରତି ଆବେଗଭରା ଚିଠି
ଡୁମାଣୀ ଟିଭି,୧୦/୪:ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଗତ ଦେଢ଼ ମାସ ହେଲାଣି ଯୁଦ୍ଧ ଜାରି ରହିଛି। ଏହି ରକ୍ତ ସଂଘର୍ଷ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଆକ୍ରମଣ ଏବେ ବି ଜାରି ରହିଛି ଓ ଲୋକମାନେ ନିଜ ଆଖି ସାମ୍ନାରେ ପରିଜନଙ୍କ ମୃତ୍ୟୁର ବିଭୀଷିକା ଦେଖୁଛନ୍ତି। କଷ୍ଟ, ଚିତ୍କାର ଓ ଶୂନ୍ୟତା ମଧ୍ୟରେ ୟୁକ୍ରେନ୍ରେ ଏବେ ବି ଶୁଭୁଛି ବୋମା ବିସ୍ଫୋରଣ। ଏସବୁ ଭିତରେ ୟୁକ୍ରେନ୍ରେ ମାନବିକତା ବି ଧୀରେ ଧୀରେ ମରିଯାଉଥିବା ଦେଖାଯାଇଛି। ତେବେ ୟୁକ୍ରେନ୍ରେ ଏକ କୁନି ପିଲା ଯୁଦ୍ଧ ବେଳେ ମା’ଙ୍କ ପାଇଁ ଲେଖିଥିବାଏକ ଇମୋସନାଲ ଚିଠି ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।
ୟୁକ୍ରେନ୍ ଯୁଦ୍ଧ ଯୋଗୁ ହଜାର ହଜାର ପିଲା ଅନାଥ ହୋଇଯାଇଛନ୍ତି। ଏହି ଅନାଥ ଭିତରେ ଏକ ୯ ବର୍ଷର କୁନି ଝିଅ ବି ରହିଛି। ଯିଏ ଯୁଦ୍ଧ ବେଳେ ନିଜ ଆଖି ସାମ୍ନାରେ ମା’ର ମୃତ୍ୟୁକୁ ଦେଖିଛି। ୯ ବର୍ଷର ଏହି କୁନି ଝିଅଟି ମା’କୁ ଚିଠିରେ ପ୍ରତିଶ୍ରୁତି ଦେଇଛି ଯେ ସେ ଭଲ ପିଲା ହେବାକୁ ଚେଷ୍ଟା କରିବ। ଫଳରେ ତାକୁ ସ୍ୱର୍ଗ ମିଳିବ ଓ ସେ ପୁଣିଥରେ ସେଠାରେ ମା’ଙ୍କ ସହ ରହିପାରିବ।
ୟୁକ୍ରେନ୍ର କୁନି ଝିଅଟିଏ ଏହି ଭାବୁକ କରିଦେଲା ଭଳି ଚିଠିକୁ ସେଠାକାର ମନ୍ତ୍ରୀ ଏଣ୍ଟୋନ ଗେରାଶଚେଙ୍କୋ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଚିଠି ପଢ଼ିଲେ ଆଖିରେ ଲୁହ ଚାଲି ଆସିବ। ପିଲାଟିର ଚିଠି ଅନେକ କଥା ବଖାଣୁଛି। ଲଢ଼େଇ କେବଳ ନିଃଶ୍ୱାସ ଛଡ଼ାଇ ନିଏନି ବରଂ ବଞ୍ଚିବାର ଆଶା ବି ଛଡ଼ାଇ ନିଏ।
ଚିଠିରେ ଛୁଆଟି ଲେଖିଛି, ମମ୍ମା… ଏହି ଚିଠି ତୁମ ପାଇଁ। ମୋ ଜୀବନର ସବୁଠୁ ଭଲ ୯ ବର୍ଷ ପାଇଁ ଧନ୍ୟବାଦ। ମୋ ପିଲା ଦିନ ପାଇଁ ମୁଁ କୃତଜ୍ଞ। ତୁମେ ଦୁନିଆର ସବୁଠୁ ଭଲ ମା’। ମୁଁ କେବେ ବି ତୁମକୁ ଭୁଲିବି ନାହିଁ। ମୁଁ ଚାହୁଁଛି ଯେ ତୁମେ ଉପରେ ଖୁସିରେ ରୁହ। ତୁମେ ସ୍ୱର୍ଗକୁ ଯାଅ। ଆମେ ସ୍ୱର୍ଗରେ ଦେଖାହେବା। ମୁଁ ସ୍ୱର୍ଗକୁ ଯିବାପାଇଁ ଭଲ ପିଲା ହେବି। ସେଇଠି ପୁଣି ତମ ସହ ଦେଖା ହେବି। ବହୁତ ଭଲ ପାଇବା।
ପିଲାଟିର ଏହି ଆବେଗପୂର୍ଣ୍ଣ ଚିଠି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ୟୁକ୍ରେନ୍ରେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଛି।
