ଏନ୍ଏମ୍ଏ ଚିଠା ଅଧିନିୟମକୁ ନେଇ ତେଜିଲା ବିବାଦ: ଦିଲ୍ଲୀ ଦରବାରରେ ଲଢ଼େଇ

684

ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍ଏମ୍ଏର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଅଧିନିୟମକୁ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ପ୍ରତିନିଧିଦଳ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ପରେ ସେମାନେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଉଦ୍ବେଗ ଜଣାଇଛନ୍ତି । ତୁରନ୍ତ ଚିଠି ଉପନିୟମ ପ୍ରତ୍ୟାହାର ପାଇଁ ପ୍ରତିନିଧି ଦଳ ଦାବି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡି ସାଂସଦମାନେ ଡାକିଥିଲେ । ହେଲେ ସେ ଆସିନଥିଲେ । ଏହା ଦୁଃଖଦ ଘଟଣା ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଏହାକୁ ନେଇ ସେବାୟତ ସଂଘ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିଛି । ଅନ୍ୟପକ୍ଷରେ ଗତ ଶୁକ୍ରବାର ଦୀପ ଜାଳି ପ୍ରତିବାଦ କରିଥିବା ସେବାୟତ ସଂଘ ବାଇ-ଲ’ ପ୍ରତ୍ୟାହାର ନହେଲେ ୧୬ରେ ଘଣ୍ଟ ବାଡେଇ ପ୍ରତିବାଦ କରିବ ବୋଲି କହିଛି । ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ସହ ସଂପର୍କ ଥିବା ଅନନ୍ତ ବାସୁଦେବ ଏବଂ ବ୍ରହ୍ୱେଶ୍ୱର ମନ୍ଦିରରେ ଏନ୍ଏମ୍ଏ ଦ୍ୱାରା ପ୍ରକାଶିତ ବାଇ-ଲ’କୁ ପ୍ରତ୍ୟାହାର କରାଯାଉ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବିଜେଡି ସାଂସଦଙ୍କ ପ୍ରତିନିଧ ଦଳ ଏହି ଦାବି ଉଠାଇଛି ।

ଏନେଇ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ଏନ୍.ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ,ଅନୁଭବ ମହାନ୍ତି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି । ସେପଟେ ବାଇ-ଲ’ ଲାଗୁ ହେଲେ ସେବାୟତ ପରିବାର ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ସେବାୟତ । ବାଇ-ଲ’ପ୍ରତ୍ୟାହାର ନହେଲେ ୧୬ ତାରିଖ ସକାଳେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ବାଇ-ଲ’କୁ ନେଇ ରାଜ୍ୟ ରାଜନୀତି ବି ଦିନକୁ ଦିନ ବଢିବାରେ ଲାଗିଛି ।

ବାଇଲ’କୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । କଂଗ୍ରେସ ମଧ୍ୟ ବାଇ-ଲ’ ପ୍ରତ୍ୟାହାର କରିବାକୁ ଦାବି କରିଛି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଉନ୍ନତିକରଣ କାମରେ ବାଧା ଦେଲେ ରାଜ୍ୟର କ୍ଷତି ହେବ । ଧାର୍ମିକ ଭାବନାକୁ କୁଠାରଘାତ କଲାଭଳି କାମ କରିବା ଉଚିତ ନୁହେଁ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ପରେ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁ ସମ୍ମାନ ଦେବାରେ ତିଳେମାତ୍ର ଅବହେଳା କରିବେ ନାହିଁ ।

ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ସେହିପରି ଏହି ଚିଠା ଉପନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସଚିବଙ୍କୁ ଲିଖିତ ଭାବେ ଅବଗତ କରାଇବାକୁ ସେ ଅପିଲ କରିଛନ୍ତି ।

ଆଉ ଆଜି ବିଜେପି ସମାନ କଥା କହି ଜବାବ ରଖିଛି । ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିରର ସଂପର୍କ ଶ୍ରୀଲିଙ୍ଗରାଜ ମନ୍ଦିର ସହ ରହିଛି । ଏହି ଦୁଇ ମନ୍ଦିର ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଅବସ୍ଥିତ । ତେଣୁ ଏଠାରେ ବାଇ-ଲ’ ଲାଗୁ ହେଲେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ରରେ କରୁଥିବା ବିକାଶ କାର୍ଯ୍ୟକ୍ରମ ପ୍ରଭାବିତ ହେବ ବୋଲି କୁହାଯାଉଛି, ଯାହାକୁ ନେଇ ଜୋର୍ ଧରିଛି ରାଜନୀତି ।

Leave A Reply

Your email address will not be published.