ଭୁବନେଶ୍ୱର,୨୩ା୧୨ : ଘରେ ଘରେ ପହଞ୍ଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା। ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ- ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି। ଗତକାଲି ଯୋରନ୍ଦାରୁ ମହିମା ସାଧୁଙ୍କ ଆଶିର୍ବାଦ ନେଇ ନବୀନ ଆରମ୍ଭ କରିଥିଲେ ଷଷ୍ଠ ପାଳିର ଯାତ୍ରା। ମହିମା ଗାଦିର ରୂପାନ୍ତରଣ ପାଇଁ ଭୂମିପୂଜନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ ଦେଇଥିଲେ ମହିମା ଗାଦିର ସାଧୁସନ୍ୟାସୀ। ପ୍ରଥମଥର ଗୋଟିଏ ମଞ୍ଚରେ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ବିକାଶର କଥା କହୁଥିବା ବେଳେ ଅନ୍ୟପଟେ ବିକାଶ ବିରୋଧୀଙ୍କ ଚକ୍ରାନ୍ତ କଥା କହୁଛନ୍ତି ପାଣ୍ଡିଆନ। ୨୦୨୪ ନିର୍ବାଚନ ପାଇଁ ବିଜେଡ଼ିର ରୋଡ୍ମ୍ୟାପ୍ ଉପରେ ରାଜ୍ୟ କାର୍ଯ୍ୟକାରିଣୀରେ ମୋହର ଲାଗିଛି। ଏବେ ପାର୍ଟି ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋଙ୍କ ଗୁରୁମନ୍ତ୍ରକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ। ନିର୍ବାଚନକୁ ଆଉ ମାତ୍ର କେଇ ମାସ ଥିବାବେଳେ ଏବେଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଲାଣି। ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଏପରିକି ବିଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ବାକ୍ଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି। ଆଗକୁ ଆହୁରି ଜୋରଦାର ଲଢେ଼ଇ ଦେଖିବାକୁ ମିଳିପାରେ। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ନିର୍ବାଚନମଣ୍ଡଳୀରୁ କେଉଁ ଦଳର କିଏ ପ୍ରାର୍ଥୀ ହେବେ ଏବଂ ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ମଧ୍ୟରୁ କେଉଁମାନଙ୍କୁ ବାଦ୍ ଦିଆଯିବ ସେଥିନେଇ ଗାଁରୁ ରାଜଧାନୀ ଯାଏଁ ଆଲୋଚନା ଜାରି ରହିଛି। ଏହାଛଡ଼ା ଟିକେଟ୍ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ଜନସଂପର୍କ ବଢେ଼ଇବାରେ ଲାଗିଛନ୍ତି। ଆଗକୁ ନୂଆବର୍ଷ ଆସୁଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ବ୍ୟାନର ଓ ତୋରଣ ଆଦି ସାରା ରାଜ୍ୟରେ ଛାଇ ହୋଇଯିବ ଏଥିରେ ସନ୍ଦେହ ନାହିଁ।
Sign in
Sign in
Recover your password.
A password will be e-mailed to you.