ଦିଲ୍ଲୀ ଦଙ୍ଗା ୨୦୨୦ ଦଙ୍ଗାକାରୀଙ୍କୁ ବନ୍ଧୁକ ଯୋଗାଉଥିବା ବାବୁ ୱାସୀମ ଗିରଫ
ଡୁମାଣୀ ଟିଭି,୮/୪:ବର୍ଷ ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ଦଙ୍ଗାକାରୀଙ୍କୁ ବନ୍ଧୁକ ଯୋଗାଉଥିବା ଅପରାଧି ବାବୁ ୱାସୀମ(୩୪) ପୁଲିସ ହାତରେ ଧରାପଡ଼ିଛି। ଉତ୍ତରପୂର୍ବ ଦିଲ୍ଲୀର ଜାଫ୍ରାବାଦ ଦଙ୍ଗା ଘଟଣାରେ ପୁଲିସ ସାମ୍ନାରେ ବନ୍ଧୁକ ଦେଖାଇଥିବା ଶାହରୁଖ ଖାନ ଓ ଆକା ପଠାନକୁ ବାବୁ ବନ୍ଧୁକ ଯୋଗାଉଥିଲା। ତା ସହିତ ଅନ୍ୟ ଅପରାଧିମାନଙ୍କୁ ମଧ୍ୟ ସେ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ବୋଲି ସେ ପୁଲିସ ଆଗରେ ଦୋଷ ମାନିଛି।
ସିଏଏ ଓ ଏନ୍ଆର୍ସିକୁ ନେଇ ହୋଇଥିବା ଦିଲ୍ଲୀ ଦଙ୍ଗାରେ ପାଖାପାଖି ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫୮୧ ଜଣ ଆହତ ହୋଇଥିଲେ। ଆଉ ଏହି ଦଙ୍ଗା ପରଠାରୁ ବାବୁକୁ ଖୋଜୁଥିଲା ଦିଲ୍ଲୀ ପୁଲିସ୍।
ଏସ୍ପି ଅତ୍ତର ସିଂହ ନେତୃତ୍ୱରେ ଶିବ କୁମାର ଏବଂ ଜିତେନ୍ର ମାୱି ଅଧିନରେ ଏକ ଟିମ୍ ଗୁରୁବାର(ଏପ୍ରିଲ୍ ୭) ଦିଲ୍ଲୀର ତାହିରପୁରର ରାଜୀବ ଗାନ୍ଧୀ ହସ୍ପିଟାଲକୁ ଲାଗିଥିବା ଏକ ପାର୍କ ନିକଟରୁ ବାବୁକୁ ଗିରଫ କରିଛି। ଗିରଫ ବେଳେ ତା ଠାରୁ ଏକ ସେମି ଅଟୋମେଟିକ ପିସ୍ତଲ ସହିତ ୫ଟି ୩୨ ଏସିପି ଅଫୁଟା ଗୁଳି ଜବତ କରିଛି ପୁଲିସ୍।
ଉତ୍ତର ପ୍ରଦେଶ ମୀରଠର ବିକାଶ ପୁରୀରେ ରହୁଥିବା ୱାସୀମ ଦିଲ୍ଲୀ ଦଙ୍ଗା ପୂର୍ବରୁ ଶାହରୁଖ ଖାନ୍କୁ ବନ୍ଧୁକ ଯୋଗାଉଥିଲା। ଆଉ ଭିଡିଓ ଭାଇରାଲ୍ ହେବା ପରେ ଗିରଫ ଭୟରେ ସେ ଫେରାର୍ ହୋଇଯାଇଥିଲା ବୋଲି ବାବୁ ସ୍ୱୀକାର କରିଥିବା କୁହାଯାଉଛି। ତେବେ କୋର୍ଟ ଏହି ମାମଲାରେ ୧୬ ମାର୍ଚ୍ଚ ୨୦୨୧ରେ ବାବୁକୁ ଅପରାଧି ଘୋଷଣା କରିଥିଲେ।
କେମିତି ଧରାପଡ଼ିଲା ବାବୁ ?
ଦିଲ୍ଲୀ ପୁଲିସକୁ ଖବର ମିଳିଥିଲା ଯେ ବାବୁ ଦିଲ୍ଲୀ ଏନ୍ସିଆର୍ର ଟ୍ରାନ୍ସ ଯମୁନା ଅଞ୍ଚଳ ଓ ପଶ୍ଚିମା ୟୁପିର କେତେକ ଅଞ୍ଚଳକୁ ଅନେକ ସମୟରେ ଯାଆସ କରୁଛି। ଏହାପରେ ଶିବକୁମାରଙ୍କ ନେତୃତ୍ୱରେ ବାବୁକୁ ଧରିବାକୁ ତୁରନ୍ତ ଏକ ଟିମ୍ ଗଠନ କରାଯାଇ ତାକୁ କାବୁ କରାଯାଇଥିଲା।
ରିପୋର୍ଟ ଅନୁସାରେ, ବାବୁ ୱାସୀମ ଗତ ୧୦ ବର୍ଷ ହେଲା ପଶ୍ଚିମ ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଏନ୍ସିଆର୍ରେ ସକ୍ରିୟ ଥିବା ଗେଙ୍ଗ ଷ୍ଟାର ଓ ବଡ଼ ଅପରାଧିମାନଙ୍କୁ ବନ୍ଧୁକ ଓ ଗୁଳିଗୁଳା ଯୋଗାଉଥିଲା। ଇର୍ଫାନ ଆକ୍କା ଛାଇନୁ ପେହେଲେୱାନ ଗ୍ୟାଙ୍ଗକୁ ମଧ୍ୟ ସେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ୱାସୀମ ମାନିଛି।
ପୁଲିସ ହାତରେ ଧରାପଡ଼ିବା ପରେ ଅନେକ କଥାର ସତ ଓଗାଳିଛି ୱୋସୀମ। ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ଥିବା ଅପରାଧି ଓ ଅସ୍ତ୍ରଶସ୍ତ୍ରର କଳାବଜାରି କରୁଥିବା ଅପରାଧିଙ୍କୁ ଗତ ଅଢ଼େଇ ବର୍ଷରେ ସେ ୨୫୦ରୁ ଅଧିକ ବନ୍ଧୁକ ଯୋଗାଇଛି ବୋଲି କହିଛି। ଏହା ବାଦ୍ ବାବୁ ନିଜେ ୭ଟି ଅପରାଧିକ ମାମଲାରେ ଜଡ଼ିତ ରହିଛି। ଏଥିରେ ସୁପାରି ନେଇ ହତ୍ୟା କରିବା, ଗୁଳିମାଡ଼, ପିଟାମରା କରିବା, ଅସ୍ତ୍ରଶସ୍ତ୍ର ତସ୍କରି ଆଦି ମାମଲା ଦିଲ୍ଲୀ ଓ ୟୁପିରେ ରହିଛି।