ନାକ୍ ରେଟିଂ ବୃଦ୍ଧି ମାମଲାରେ ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ।
ସମ୍ବଲପୁର- ଏକ ଘରୋଇ ବିଶ୍ବବଦ୍ୟାଳୟକୁ ନାକ୍ ଟିମ ଦ୍ବାରା ରେଟିଂ ଦେବାରେ ଅନିୟମିତତା ଅଭିଯୋଗର ସିବିଆଇ ଖୋଳତାଡ଼ କରୁଛି । ଏହି ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇଛି । ଏଭଳି ସ୍ଥଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲାଇବ୍ରେରୀ ସାଇନ୍ସ ବିଭାଗର ପ୍ରଫେସର ବୁଲୁ ମହାରଣାଙ୍କୁ ନିଲମ୍ବିତ କରିଛି। ଗତ ୧ ତାରିଖରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସେହିଦିନ ତାଙ୍କ ଘର ସିଲ୍ ମଧ୍ୟ କରିଥିଲା । ପରେ ୪ ତାରିଖ ସିବିଆଇ ଟିମ ଘରେ ପହଞ୍ଚି ତଦନ୍ତ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏନେଇ ସମ୍ୱଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ର. ମହାରଣାଙ୍କୁ ନିଲମ୍ୱିତ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟର ଷ୍ଟାଚ୍ୟୁଟ୍ ୨୯୯ ମୁତାବକ ଏହି ନିଲମ୍ବନ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କୁଳ ସଚିବ ଡ. ନୃପରାଜ ସାହୁଙ୍କ ହସ୍ତାକ୍ଷର ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସ୍ଥିତ ୱାଦେଶ୍ୱରମ୍ ଶିକ୍ଷାନୁଷ୍ଠାନକୁ ଏ ପ୍ଲସ ପ୍ଲସ ରେଟିଂ ଦେବା ପାଇଁ ନାକ୍ ପିୟର କମିଟି ଦଳ ର ରିପୋର୍ଟ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିବା ପରେ ସିବିଆଇ ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ୱଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ଚଢଉ କରି ତଦନ୍ତକରି ୩୭ଲକ୍ଷ ଟଙ୍କା, ୬ଟି ଲାପଟପ୍, ଆଇ-ଫୋନ ଜବତ କରିଥିଲା।