ପୁରୀ,ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧଳୁ ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିଛନ୍ତି। ଗତକାଲି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାଲାଗି ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି। ଆଜି ପୂର୍ବାହ୍ନରେ ସମସ୍ତ ଜିଲ୍ଳାରୁ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତ ବୀରହରେକୃଷ୍ଣପୁର ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ଘଣ୍ଟଧ୍ୱନି ଓ ବିଭିନ୍ନ ମେଢ଼ ପଟୁଆର ମଧ୍ୟରେ ଶୋଭାଯାତ୍ରାକାରୀମାନେ ଚାରିନଳା, ଅଠରନଳା, ମେଡିକାଲ ଛକ, ବଡଦାଣ୍ଡ , ମାର୍କେଟ ଚ୍ଛକ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଶୁଭାଶିଷ ଖୁଣ୍ଟିଆ ଓ ନାରାୟଣ ସ୍ୱାଇଁ ପରିଚାଳନା କରିଥିଲେ। ଉଲ୍ଲେଖ ଯୋଗ୍ୟ ଗତକାଲି ବହୁ ପ୍ରତିକ୍ଷୀତ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.