ପାଟଣାଗଡରେ ଆଦିବାସୀଙ୍କ ମହାମେଳ

Tribal fair in Patnagarh

83

ବଲାଙ୍ଗୀର,: ଆଦିବାସୀ ନିଜର ଅଧିକାରକୁ ଦାବି କରି ଆଜି ପାଟଣାଗଡ଼ରେ ଆଦିବାସୀ ମାନଙ୍କର ଏକ ମହାମେଳୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ସଶସ୍ତ୍ର ଆଦିବାସୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ଶ୍ଳାଗାନ ମାନ ଦେଇ ଗଡ଼ଭିତର ଯାତ୍ରା ପଡ଼ିଆକୁ ପହଞ୍ଚିଥିଲେ । ବ୍ଳକ ସଭାପତି ଭୁବନେଶ୍ୱର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ପଶ୍ଚିମ ଓଡ଼ିଶାର ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ବାଳକୃଷ୍ଣ ଶବର, ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ସଭାପତି ଶ୍ୟାମ ସୁନ୍ଦର ଭୋଇ, ହେମେନ୍ଦ୍ର ନାଥ ହସିଂବା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଆଦିବାସୀ ଦେବାଦେବୀ ଓ ଅସ୍ତ୍ରଶସ୍ତ୍ରକୁ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା । ଏଥିରେ ଆଦିବାସୀ ପରମ୍ପରା, ଶିକ୍ଷା, ସ୍ୱାସ୍ଥ୍ୟ ହକ ଅଧିକାର ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରେ ଏକ ୩୧ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେରଙ୍କୁ ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ଆଦିବାସୀ ଜାତି ଗତ ପ୍ରମାଣ ହାତେଇ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରୁଥିବା କୁଲି ସଂପ୍ରଦାୟକୁ ତୁରନ୍ତ ଚାକିରୀରୁ ବହିସ୍କାର ଓ ଜାତିଗତ ପ୍ରମାଣପତ୍ର ଦେବା ବନ୍ଦକରିବା, ଜଙ୍ଗଲ ଜମିପଟ୍ଟା ଓ ଭୂମିହୀନମାନଙ୍କୁ ଘରଡିହ ପ୍ରଦାନ କରିବା, ନକଲି ଆଦିବାସୀ ହଟାଇବା, ରାସନ୍ କାର୍ଡ ପ୍ରଦାନ କରିବା, ସେବାଶ୍ରମ, କନ୍ୟାଶ୍ରମ, ଅନ୍ୱେଷା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ, ଖାଲି ପଡିଥିବା ପଦବୀ ପୂରଣ କରିବା, ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ସହ ଦାଦନ ଶ୍ରମିକ ମୃତ ବରଣ ଘଟଣାରେ ସଂପୃକ୍ତ ସର୍ଦ୍ଧାରକୁ ଗିରଫ କରିବା, ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରିବା ସହ ସ୍ଥାୟୀ ସୁରକ୍ଷା କରିବା, ବଲାଙ୍ଗୀରକୁ ଆଦାନୀ କମ୍ପାନୀକୁ ଆସିବାକୁ ଅନୁମତି ଦିଆନଯିବା, ଆଦାନୀ କିଣିଥିବା ଜମିକୁ ବାତିଲ କରିବା, ଜିଲ୍ଲା ସମ୍ପୂର୍ଣ୍ଣ ଦେଶି ମଦ ଭାଟି ବନ୍ଦ କରିବା, ଜିଲ୍ଲାକୁ ମଦ ମୁକ୍ତ ଘୋଷଣା କରିବା, ଆଦିବାସୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ହତ୍ୟା ମାମଲାରେ ଅଭିଯୁକ୍ତ ତୁରନ୍ତ ଗିରଫ କରିବା, ଏସସି ଏସଟି ନିବାରଣ ଆଇନରେ ଦୀର୍ଘ ଦିନରୁ ପଡିରହିଥିବା କ୍ଷତି ପୂରଣ ତୁରନ୍ତ ପ୍ରଦାନ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ ସଙ୍ଗେ ଜିଲ୍ଲାର ପ୍ରତ୍ୟେକ ପିଏସସି, ସିଏଚସି, ଏସଡିଏଚ୍‌ରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା, ଅଣ ଆଦିବାସୀମାନେ ଆଦିବାସୀ ଜମି ଜବରଦଖଲ ଉଚ୍ଛେଦ କରିବା, ନୂଆପଡ଼ା ଭାୟା ପାଟଣାଗଡ଼ ନୂତନ ରେଳ ଲାଇନର ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଇବା, କ୍ରତ୍ରିମ ଜଙ୍ଗଲ ନଷ୍ଟ ରୋକିବା, ହରିଶଙ୍କର ଓ ପଦ୍ମପୁର ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଶତାୟୁ ବୃକ୍ଷ କାଟିବା ଦୁର୍ନିତୀର ସିବିଆଇ ତଦନ୍ତ କରିବା, କେନ୍ଦୁପତ୍ର କେରିପିଚ୍ଛା ୨.୫୦ ଟଙ୍କା ବୃଦ୍ଧି ସହ ତୋଲାଳିଙ୍କୁ ମୃତ କାଳିନ ସହାୟତା ରାଶି ପ୍ରଦାନ କରିବା, ଝିଅ ବିବାହ ସହାୟତା ରାଶି, ପାଟଣାଗଡ଼ ବିଡି କାରଖାନା ପ୍ରତିଷ୍ଠା ସ୍ଥାପନ କରିବା,୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବନ୍ଦ କରିବା ଆଦି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆଦିବାସୀ ମହାମେଳୀରେ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ସାମିଲ ହୋଇଥିଲେ । ଏଥିରେ ବେଲପଡା ସଭାପତି ରସିକ ଧରୁଆ, ଏନ୍‌ଏସି ସଭାପତି ଚନ୍ଦ୍ରମଣି ଶବର, ମିର୍ଦ୍ଧା, ମଞ୍ଚାସିନ ଥିଲେ । ଏଥିରେ ଯୁଗ୍ମ ସଂପାଦକ ଗିରିରାଜ ଭୋଇ, ଲଲିତ ମଲ୍ଲିକ, ଘନ ଭୋଇ, ଚୁଡ଼ାମଣି ଧରୁଆ, ପିଣ୍ଟୁ ବୁଡେକ, ହୃଷୀକେଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଗିରିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.