ଭୁବନେଶ୍ୱର,: ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଶା ପ୍ରେମୀମାନେ, ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କର ସର୍ବାଙ୍ଗୀନ କଲ୍ୟାଣ ଓ ସମୂହ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ସଙ୍ଗଠନ ସମର୍ପିତ । ଏହି ବୈଶିକ ଅନୁଷ୍ଠାନ ଆନ୍ତର୍ଜାତିକ ଦରବାରରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଐତିହ୍ୟ,
ସାହିତ୍ୟ, ଭାଷା, ପର୍ଯ୍ୟଟନ, ପରିପାଟି, ଭାସ୍କର୍ଯ୍ୟ ଏବଂ ବ୍ୟଞ୍ଜନର ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ କରି ଆସୁଛି । ୱାଓସୋର ପ୍ରମୁଖ ଲକ୍ଷ୍ୟ ହେଲା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଏକ ମଞ୍ଚରେ ଏକଜୁଟ କରି ସେମାନଙ୍କର
ଭୌତିକ ଓ ବୌଦ୍ଧିକ ସମ୍ବଳକୁ ମାତୃ ପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ବିନିଯୋଗ କରିବା । ୱାଓସୋର ସ୍ୱପ୍ନ ଓ ସଙ୍କଳ୍ପ ହେଉଛି, ୨୦୩୬ ମସିହାରେ ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ ସେ ସମୟରେ ଆମେ ଏକ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା, ସ୍ୱର୍ଣ୍ଣପ୍ରସୂ ସମୃଦ୍ଧ ଓଡ଼ିଶା ଦେଖିବାକୁ ସକ୍ଷମ ହେବା । ୱାଓସୋର ପ୍ରତିଷ୍ଠା ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ତିଥିରେ ହୋଇଥିଲା । ବର୍ତ୍ତମାନ ଚାରି ବର୍ଷ ଅତିକ୍ରାନ୍ତ କରିବା ପରେ ୱାଓସୋ ସାରା ପୃଥିବୀରେ ଏହାର ଉପସ୍ଥିତିକୁ ବହୁ ମାତ୍ରାରେ ବଢ଼ାଇ ପାରିଛି । ଆରମ୍ଭ ସମୟରେ ଏହା ମାତ୍ର ୨୦ ଟି ରାଷ୍ଟ୍ରକୁ ନେଇ ଗଠିତ ହୋଇଥିବା ବେଳେ ଏହି ସଙ୍ଗଠନରେ ବର୍ତ୍ତମାନ ୭୨ଟି ରାଷ୍ଟ୍ର
ସାମିଲ ହୋଇଛନ୍ତି । ଆସନ୍ତା ଜାନୁୟାରୀ ୧୧ ତାରିଖ ଶନିବାର ଦିନ ପାଞ୍ଚଟା ସମୟଠାରୁ ଭୁବନେଶ୍ୱର ସ୍ଥିତ ମେ ଫେୟାର କନଭେନସନର ସେଣ୍ଟ୍ରାଲ ହଲଠାରେ ହାଇବ୍ରିଡ ଢଙ୍ଗରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି । ଏହି ସମାରୋହକୁ ପ୍ରବାସୀ ଓଡ଼ିଆ ଦିବସ ନାମରେ ନାମିତ କରାଯାଇଛି । ଏହି ଅବସରରେ ‘ଉତ୍କଳ ଉତ୍ସବ\’ ନାମରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବାକୁ ଯାଉଛି । ମହୋତ୍ସବର ଅନ୍ୟତମ ଆକର୍ଷଣ
ଭାବରେ ‘ରାଇଜିଂ ଓଡ଼ିଶା ସମିଟ\’ ଆୟୋଜନ କରାଯିବାକୁ ସ୍ଥିର ହୋଇଛି । ଏହି ମସ୍ତିଷ୍କ ମନ୍ଥନ ଅଧିବେଶନ ଅବସରରେ ‘ଓଡ଼ିଶା : ଇନଭେଷ୍ଟରସ ପାରାଡାଇଜ\’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ପ୍ରବାସୀ ଓଡ଼ିଆ ଦିବସରେ ଶତାଧିକ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶା ପ୍ରେମୀ ଜନସାଧାରଣ ଉଭୟ ବାସ୍ତବିକ ଓ ଆଭାସୀ ଢଙ୍ଗରେ ଯୋଗ ଦେବାକୁ ଯାଉଛନ୍ତି । ପ୍ରବାସୀ ଓଡ଼ିଆଙ୍କର ଏହି ମହାକୁମ୍ଭରେ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନ ପାଇଁ ବିଶେଷ ଯୋଗଦାନ ଦେଇଥିବା ବିଶିଷ୍ଟ ଓଡ଼ିଆମାନଙ୍କୁ
‘ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ\’ ଏବଂ ର˜ଶ୍ରୀ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ଏକ ସ୍ମରଣୀକା ମଧ୍ୟ ଉନ୍ମୋଚନ କରାଯିବ । ପ୍ରବାସୀ ଓଡ଼ିଆ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି
ଭାବରେ ଯୋଗ ଦେବେ । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହି ମହାପର୍ବରେ
ଉଦ୍ଘାଟକ ଭାବରେ ସାମିଲ ହେବେ । ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟବକ୍ତାର ଭୂମିକା ନିର୍ବାହ କରିବେ । ଛତିଶଗଡ଼ର ଏକମାତ୍ର ଓଡ଼ିଆ ବିଧାୟକ, ୩୫ ଲକ୍ଷ ଛତିଶଗଡ଼ ନିବାସୀ ଓଡ଼ିଆଙ୍କୁ ନେଇ ଗଠିତ ବୃହତ୍ ଓଡ଼ିଆ ସମାଜର ସଭାପତି ଏବଂ ରାୟପୁର ଠାରେ ଛତିଶଗଡ଼ ରାଜ୍ୟର ସର୍ବୋଚ୍ଚ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ପ୍ରଥମ ‘ପ୍ରବାସୀ ଓଡ଼ିଆ ସମ୍ମାନ\’ରେ ଭୂଷିତ କରାଯିବା ପାଇଁ ମନୋନୟନ କରାଯାଇଛି । ରାଇଜିଂ ଓଡ଼ିଶା ସମିଟରେ ପ୍ୟାନାଲିଷ୍ଟ ଭାବରେ ତପନ ଚାନ୍ଦ, କୁଳମଣି ବିଶ୍ୱାଳ ଏବଂ ସୌଭାଗ୍ୟ ମହାପାତ୍ର ପ୍ରମୁଖ ଯୋଗ ଦେବେ । ବିଶିଷ୍ଟ ଉଦ୍ୟୋଗପତି ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଏହି ସମିଟକୁ ନୂଆଦିଲ୍ଲୀର ଚାଟାର୍ଡ ଏକାଉଣ୍ଟାଣ୍ଟ୍ ସୁଧୀର ଦାଶ ପରିଚାଳନା କରିବେ । ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଇଜିଂ ଓଡ଼ିଶା ସମିତଟକୁ
ଉଦ୍ଘାଟନ କରିବାକୁ ଥିବା ବେଳେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ପ୍ରବାସୀ ଓଡ଼ିଆ ଦିବସର ‘ଉତ୍କଳ ଉତ୍ସବ\’ଶୀର୍ଷକ ଉଦଯାପନୀ ସମାରୋହକୁ ଭାରତୀୟ ଜନତା ପାର୍ଟିର ସଭାପତି ମନମୋହନ
ସାମଲ ଉଦଘାଟନ କରିବେ । ରାଜ୍ୟରେ ସହରୀ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ, ଓଡ଼ିଶାର ନାଇଟଏଙ୍ଗଲ ଅନିନ୍ଦିତା ଦାସ ଏବଂ ଶିଳ୍ପିକା ନୃତ୍ୟ ଟ୍ରୁପ ସେମାନଙ୍କର ଜାଦୁଗରୀ କଳା ଚାତୁର୍ଯ୍ୟରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ । ଏଠାକାର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ୱାଓସୋର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଏହା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ୱାଓସୋର ଭାରତ ଅଧ୍ୟାୟର ସଭାପତି ଡଃ ବିପିନ ମିଶ୍ର, ଓଡ଼ିଶା ଶାଖାର ସଭାପତି ସନତ ମିଶ୍ର, ଅନ୍ୟ କର୍ମକର୍ତ୍ତା ସୌରେନ୍ଦ୍ର ମହାପାତ୍ର, ପବିତ୍ର ମହାରଥା, ଅଜୟ ମିଶ୍ର , ରୀତା ପାତ୍ର, ଅଭିନ୍ନ ହୋତା, ଦେବବ୍ରତ ପାଣିଗ୍ରାହୀ, କାବେରୀ ବେହେରା ଏବଂ ଶ୍ରୀଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ କରି ଗଠନ କରାଯାଇଥିବା ୱାଓସୋର ଓଡ଼ିଶା ଶାଖାର କର୍ମକର୍ତ୍ତା ମାନଙ୍କର ନାମ ଘୋଷଣା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.