ବନ୍ଦେ ଉତ୍କଳ ଜନନୀ

334

ପୁଣ୍ୟଭୂମି ଉତ୍କଳ । ୧୯୩୬ ମସିହା ଏପ୍ରିଲ ୧ତାରିଖ ଦିନ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ଉଡ୍ର,କଳିଙ୍ଗ,ଉତ୍କଳ ନାମରେ ନାମିତ ଏହି ପ୍ରାଚୀନ ଭୂଖଣ୍ଡ ପବିତ୍ର ଭାରତ ଭୂମିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ପ୍ରାଚୀନ ଭୂଭାଗ ବିଷୟରେ ସ୍କନ୍ଦ ପୁରାଣ, ମୌର୍ଯ୍ୟ ଯୁଗର କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ କାଳିଦାସଙ୍କ ରଚିତ ମହାକାବ୍ୟ ରଘୁବଂଶ ଆଦିରେ ବର୍ଣ୍ଣିତ । ଏହି ବୀର କଳିଙ୍ଗ ପ୍ରଦେଶ ତାର ଗାରିମାରେ ଜଣାଏ କିପରି ବିଶ୍ୱ ବିଜୟୀ ସମ୍ରାଟ ଅଶୋକ ଚଣ୍ଡାସକରୁ ପାଲଟି ଯାଇଥିଲେ ଧର୍ମାଶକ । ତରବାରର ଜୟ ପ୍ରକୃତ ଜୟ ନୁହେଁ ହୃଦୟର ଜୟ ହିଁ ପ୍ରକୃତ ଜୟ ଚିନ୍ତାକରି ବୌଦ୍ଧ ଧର୍ମରେ ଦିଖିତ ହେଇଥିଲେ ସମ୍ରାଟ ଅଶୋକ । ପ୍ରାଚୀନ କାଳରେ ଉତ୍କଳର ବୀର ଓଡିଆ ପୁଅ ମାନେ ନୌବାଣିଜ୍ୟରେ ଜାଭା , ସୁମାତ୍ରା , ବୋର୍ଣ୍ଣିଓ ଆଦି ଅଚଂଳକୁ ଜଳପଥରେ ଯାତ୍ରା କରି ବହୁ ଧନରତ୍ନ ଆଣୁଥିଲେ ।

୧୫୬୮ଖ୍ରୀଷ୍ଟଦ୍ଦରେ ରାଜା ମୁକୁନ୍ଦଦେବ ଆଫଗାନ ଶାସକ ସୁଲେମାନ କାରାନୀଙ୍କ ଠାରୁ ପରାସ୍ତ ହେବା ପରେ ଉତ୍କଳ ପ୍ରଦେଶରେ ଆରମ୍ଭ ହେଲା ଅନ୍ଧକାରର ଯୁଗ । ୧୮୦୩ ମସିହାରେ ଓଡିଶାର ଶାସନ ଭାର ଆସିଲା ବିଟ୍ରିଶ ସରକାରଙ୍କ ଉପରେ । ଓଡିଶାରେ ଖ୍ରୀଷ୍ଟିଆନ ମିସନାରୀ ମାନଙ୍କର ଆଧୁନିକ ଶିକ୍ଷାର ପ୍ରସାର ପ୍ରଚାର ଘଟିଲା । ଲୋକ ମୁହାଁଇଲେ ଖ୍ରୀଷ୍ଟଧର୍ମ ଆଡକୁ । ତେବେ ୧୮୬୬ମସିହାରେ ଓଡିଶାରେ ଦେଖା ଦେଇଥିବା ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଲା । ଏହାର କରାଳଛାୟା ସମଗ୍ର ଓଡିଶାକୁ ଶ୍ମଶାନରେ ପରିଣତ କରିଦେଇଥିଲା । ସେହି ବର୍ଷ ଆରମ୍ଭ ହେଲା କର୍ମବୀର ଗୌରିଶଙ୍କର ରାୟଙ୍କର ପ୍ରିଣ୍ଟି ପ୍ରେସ ଯାହା ଉତ୍କଳଦୀପିକା ନାମରେ ନାମିତ କରାଗଲା । ପରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ପ୍ରତିଷ୍ଟା କରାଗଲା ସମ୍ବଲପୁର ହିତୈଷିଣୀ । ଦୀର୍ଘ ୫ଶହ ବର୍ଷ ହେବ ଉତ୍କଳ ପ୍ରଦେଶ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ବହୁ ଘାତ ପ୍ରତିଘାତରେ ଏହି ଏପ୍ରିଲ ୧ରେ ଏକତ୍ର ହୋଇଥିଲା । ଏଥିରେ ଓଡିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡିଆ ଭାଷା ସଂସ୍କୃତି ଏକ ବିଶାଳ ଭୂଖଣ୍ଡରେ ତିଷ୍ଠି ରହିଛି । ଦୁର୍ଦ୍ଦଶାଗ୍ରସ୍ତ ସମୟରେ ଓଡିଶାର ସ୍କୁଲ ମାନଙ୍କରୁ ଓଡିଆ ଭାଷାକୁ ଉଠାଇ ଦିଆଯାଇ ବଙ୍ଗଳା ଭାଷା ଓ ବଙ୍ଗ ପ୍ରଦେଶ ସହ ଓଡିଶାକୁ ମିଶ୍ରଣ କରିବାକୁ ଚକ୍ରାନ୍ତ ଚାଲିଥିଲା । ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ନେତୃତ୍ୱରେ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା । ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଓଡିଶାର ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ,ସ୍ୱଭାବକବି ଗଙ୍ଗଧର ମେହେର,କର୍ମବୀର ଗୌରିଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ ।

Leave A Reply

Your email address will not be published.