ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତି କଲେ ଜିଲ୍ଲାପାଳ

163

ସୁବର୍ଣ୍ଣପୁର, ୧୫ ନଭେମ୍ବର – ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଳା ପ୍ରଶାସନ ଦ୍ଵାରା ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନନହେଁ ପରିସ୍ତେ “ମୁଁ ବି ପଢ଼ିବି ” କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶୁଭାରମ୍ଭ କରିଛନ୍ତି। ସୁରେସ୍ଵରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଶିଶୁ ଦିବସ ଅବସରରେ ୮ ଜଣ ଶିକ୍ଷାରୁ ବଞ୍ଚିତ ଶିଶୁ ଗୀତାଞ୍ଜଳି, ନିଖିଳ, ଅଖିଳ, ଅର୍ଜୁନ, ଲକ୍ଷ୍ମଣ, ସୀମା, କ୍ରିଷ୍ଣା ଓ ଆଞ୍ଚଳକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବିଦ୍ୟାଳୟରେ ନାମ ଲେଖାଇବା ସହ ପାଠ ପଢ଼ାର ଆରମ୍ଭ କରିଥିଲେ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଶିଶୁ ମାନଙ୍କ ସହ ଭାବବିନିମୟ କରି ଶିଶୁଙ୍କ ପାଠ ପଢିବା ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ସମସ୍ତ ଶିଶୁଙ୍କୁ ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଲାଇନର କର୍ମକର୍ତ୍ତା ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ପିଲା ମାନଙ୍କୁ ସ୍କୁଲ ବ୍ୟାଗ, ଶୀତବସ୍ତ୍ର, ପାଣି ବୋତଲ, ଟିଫିନ ବକ୍ସ, ଖାତା, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଏସ ଡି ପି ଓ ନିଙ୍ଗୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ସଂଯୋଜନା କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ କର୍ମକର୍ତ୍ତା, ବିଭାଗୀୟ କର୍ମଚାରୀ, ଚାଇଲଡ ଲାଇନ ସଦସ୍ୟ ସଦସ୍ୟା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଏହି ପ୍ରକାର କାର୍ଯ୍ୟକ୍ରମ ପ୍ରତିମାସରେ ଚାଲୁ ରହିବ ଏବଂ କୌଣସି ବି ସେହିପରି ଶିଶୁ ଉଦ୍ଧାର ହେଲେ ସେମାନଙ୍କୁ ବିଦ୍ୟାଳୟରେ ପାଠ ପଢ଼ିବାର ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚୀତ କରାଯାଇଛି।

Leave A Reply

Your email address will not be published.