୨୫ ରୁ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ

25th to State Kumar Swami Festival

189

ଭବାନୀପାଟଣା, : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ୨୦୨୩ ଆସନ୍ତା ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି । ଚଳିତ ବର୍ଷର କୁମାରସ୍ୱାମୀ ମହୋତ୍ସବ କଳାହାଣ୍ଡିର ତିନି ଗୋଟି ପ୍ରାଚୀନ ଲୋକନୃତ୍ୟ ଡମ୍‌ ବଜା, ଢାପ୍‌ ଓ ବନାବାଡିକୁ ନେଇ ଗତିଶୀଳ ହେବ । ମୁହୁରି ବା ମହୁରି ଡମ୍‌ ଜାତିର ପ୍ରାଣସ୍ପନ୍ଦନ ହୋଇଥିବା ବେଳେ କଳାହାଣ୍ଡିର ଭୂମିପୁତ୍ର ଆଦିବାସୀ କନ୍ଧଙ୍କ ଆଦିବାଦ୍ୟ ହେଉଛି ଢାପ୍‌ । ସେହିପରି ବନାବାଡ଼ି ଯାଦବ ସଂସ୍କୃତିର ମହାନ ବିଭବ । ତେଣୁ କୁମାରସ୍ୱାମୀ ମହୋତ୍ସବର ଉଦଘାଟନୀ ଦିବସକୁ ମୁହୁରି ଦିନ୍‌, ଦ୍ୱିତୀୟ ଦିବସକୁ ଢାପ୍‌ ଦିନ୍‌ ଓ ଉଦଯାପନୀ ଦିବସକୁ ବନାବାଡ଼ି ଦିନ୍‌ ନାମରେ ନାମିତ କରାଯାଇ ନୂତନ ପିଢ଼ିକୁ ପ୍ରାଚୀନ ଆଟବିକ ସଭ୍ୟତା ସହ ପରିଚିତ କରାଇବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି । ଏହି ମହୋତ୍ସବରେ ଡମ୍‌ ବଜା, ଶିଙ୍ଗ୍‌ ବଜା, ବଜାଶାଲ୍‌, ଢାପ୍‌, ବନାବାଡ଼ି, ଲଉଡ଼ି ନୃତ୍ୟ ସହ ବଲାଙ୍ଗୀରକଳାହାଣ୍ଡିର ରାମଲୀଳା, ସୋନପୁରର ଦଣ୍ଡନୃତ୍ୟ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ପଡୋଶୀ ଛତିଶଗଡ଼ର କଳାକାରମାନଙ୍କ ଦ୍ୱାରା ନୃତ୍ୟ ଆସର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଯୁଗ୍ମସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱି ମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରୀକୃତ ହୋଇଛି । ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଦେବଗିରି ସମ୍ମାନ ସହ ଦେବଗିରି ଯୁବ ସମ୍ମାନ, ଦେବଗିରି ସାହିତ୍ୟ ସମ୍ମାନ, ଦେବଗିରି ଲୋକକଳା ସମ୍ମାନ, ଦେବଗିରି ସାମ୍ବାଦିକତା ସମ୍ମାନ, ଦେବଗିରି କୃଷି ସମ୍ମାନ, ଦେବଗିରି ସମାଜ ସେବା ସମ୍ମାନ, ଦେବଗିରି ନାରଦ ସମ୍ମାନ, ଦେବଗିରି ଶିକ୍ଷା ସମ୍ମାନ, ଦେବଗିରି ବାର୍ତ୍ତା ସମ୍ମାନ, ଦେବଗିରି ଦେଶ ସେବା ସମ୍ମାନ, ଦେବଗିରି ଗୁରୁ ସମ୍ମାନ ଆଦି ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର କୁମାର ଧଙ୍ଗଡ଼ାମାଝୀ ଓ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.