୫ ଲୁଟେରା ଗିରଫ: ଅଫୁଟା ହାତବୋମା, ଭୂଜାଲି, ଲୁହାରଡ ଜବତ

178
ପୁରୀ:  ପୁରୀ କୋଣାର୍କ ଜାତୀୟ ରାଜପଥରେ ପର୍ଯ୍ୟଟକମାନଙ୍କୁ ଭୟଭୀତ କରି ଗାଡି ଛଡାଇବା, ବଟି ମାଗିବା, ଚେନ୍ ଲୁଟ କରିବା ଆଦି ଘଟଣାରେ ତାଳବଣିଆ ଥାନା ପୁଲିସ ୨୧/୨୦୨୧ରେ ମାମଲା  ରୁଜୁ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳିର ବାଦଲ ନାୟକ (୨୪), ସଦରଥାନା ଅନ୍ତର୍ଗତ ପିଳିପିଳାର ଆବୁଆ ଓରଫ ସନ୍ତୋଷ ସାହୁ (୨୬), କୁମ୍ଭାରପଡା ଥାନା ଅନ୍ତର୍ଗତ ବାଲିକୁଦା ରାମଚଣ୍ଡୀ ସାହିର କାବୁ ଓରଫ ପୂଣ୍ଣଚନ୍ଦ୍ର ପ୍ରଧାନ (୨୬) ଓ ବାବୁ ପ୍ରଧାନ (୨୭) ଏବଂ ଦରଜିପୋଖରୀ ଛକର ଗିଲଟି କାଳୁ ଓରଫ ସୁବାଷ ମହାନ୍ତି (୩୭) । ସେମାନଙ୍କ ଠାରୁ ଗୋଟିଏ ଅଫୁଟା ହାତବୋମା, ଗୋଟିଏ ଭୂଜାଲି, ୫ଟି ମାସ୍କ, ୩ଟି ଟର୍ଚ୍ଚ ଲାଇଟ୍ ଓ ଦୁଇଟି ଲୁହା ରଡ ପୁଲିସ ଜବତ କରିଛି । ସବୁଠାରୁ ଅଧିକ ମାମଲା ରହିଛି ଗିଲଟି କାଳୁ ନାମରେ ହତ୍ୟା, ଲୁଟ୍‌, ରାହାଜାନୀ, ହତ୍ୟା ଉଦ୍ୟମ ଓ ଦାଦାବଟି ଆଦାୟକୁ ନେଇ କୁମ୍ଭାରପଡା ଥାନାରେ ୩୦ଟି ଓ ସିଂହଦ୍ୱାର ଥାନାରେ ଗୋଟିଏ ମାମଲା ରହିଛି । ବାଦଲ ନାମରେ ପେଣ୍ଠକଟା ମେରାଇନ ଥାନାରେ ଗୋଟିଏ, କୋଣାର୍କରେ ୨ଟି ଓ ରାମଚଣ୍ଡୀ ଥାନାରେ ଗୋଟିଏ ମାମଲା ରହିଛି ।
କାବୁ ନାମରେ କୁମ୍ଭାରପଡା ଥାନରେ ୧୨ଟି ଓ ବଳିଆପଣ୍ଡା ଥାନାରେ ଗୋଟିଏ ମାମଲା ରହିଛି । ପୁଲିସ ସୂତ୍ରରୁ ପ୍ରକାଶ କାବୁକୁ  ଆଜି ପ୍ରତ୍ୟୁଷରୁ ଧରି ଥାନାକୁ ଆଣିବା ପରେ ପୁଲିସ ଆକ୍ରମଣ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ତାର ବାମ ହାତ ଓ ବେକରେ ଆଘାତ ଲାଗିଛି । ଏ ସଂପର୍କରେ ତାଳବଣିଆ ଥାନାରେ ୨୨/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ସେ ଜଣେ ପେଷାଦାର ଅପରାଧୀ ବୋଲି ପୁଲିସ ଜଣାଇଛି । ଆବୁ ନାମରେ ସଦର ଥାନାରେ ଗୋଟିଏ ମାମଲା ରହିଛି । ବାବୁ ପ୍ରଧାନ ନାମରେ କୁମ୍ଭାରପଡା ଥାନାରେ ୯ଟି ମାମଲା ରହିଛି ବୋଲି ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତମାନେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ କାବୁ କରିଥିଲା । ପରେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।
Leave A Reply

Your email address will not be published.