୨୦ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ : ୪ ଗିରଫ

129
ରାଉରକେଲା : ଅରୁଣାଚଳ ପ୍ରଦେଶରୁ ବିଦେଶୀ ମଦ ରାଉରକେଲାକୁ ଚାଲାଣ ହେଉଛି ଓ ସେଗୁଡିକୁ ଗଚ୍ଛିତ ରଖାଯାଇ ଜିଲ୍ଲା ବ୍ୟାପି କାରବାର କରାଯାଇ ସରକାରଙ୍କର କୋଟି କୋଟି ଟଙ୍କାର ଟିକସ ଫାଙ୍କି କରାଯାଉଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତିରେ ତାମଡା ଅଂଚଳରେ ଚଢ଼ଉ କରାଯାଇଥିଲା । ସେଠାରେ ଗୋଟିଏ ଘରେ ୧୯୦ଟି ପେଟିରେ ଥିବା ପାଖା ପାଖି ୨୦ ଲକ୍ଷ ଟଙ୍କାର ବିଭିନ୍ନ କିସମର ବିଦେଶୀ ମଦକୁ ଅବକାରୀ ବିଭାଗ ଜବତ କରିଥିଲା । ସେଠାରୁ ଏକ କାର୍ ମଧ୍ୟ ଜବତ କରିଥିଲା । ଏହି ମଦ ପେଟିରେ ଅରୁଣାଚଳ ପ୍ରଦେଶର ଛାପ ରହିଛି । ଏହି ଘଟଣାରେ ପ୍ରାଥମିକ ଭାବେ ୪ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ଲକ୍ ଡାଉନର ସୁଯୋଗ ନେଇ ବିଭିନ୍ନ ରାଜ୍ୟ ଦେଇ ଆସୁଥିବା ବିଭିନ୍ନ ମାଲ ଗାଡିରେ ବୀରମିତ୍ରପୁର ଦେଇ ଏହି ସବୁ ମଦ ଅରୁଣାଚଳପ୍ରଦେଶରୁ ଶସ୍ତାରେ ଜିଲ୍ଲାକୁ ପ୍ରବେଶ କରୁଥିଲା । ପରେ ଏସବୁ ବିଭିନ୍ନ ବିଦେଶୀ ମଦ ଦୋକାନକୁ ଚାଲାଣ କରାଯିବା ସହ ଜିଲ୍ଲାର ଢାବା ଗୁଡିକୁ ଚାଲାଣ ହୋଇଥାନ୍ତା । ଓଡିଶାରେ ବିଦେଶୀ ମଦର ମୂଲ୍ୟ ଅଧିକ ରହୁଥିବାରୁ ସେଠାରେ ଏସବୁ ମଦର ମୂଲ୍ୟ ଶସ୍ତା । ତେଣୁ ବେପାରୀ ମାନେ ସେମାନଙ୍କର ବୁଦ୍ଧି ଲଗାଇ ଏହି କାରବାର ଚଳାଇଥିଲେ । ଏହା ଦ୍ୱାରା ବହୁ ପରିମାନର ରାଜସ୍ୱ ମଧ୍ୟ ସରକାର ହରାଉଥିଲା । ହେଲେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏତେ ପରିମାଣର ମଦକୁ ଜବତ କରାଯାଇପାରିଛି ବୋଲି ସୂଚନା ଦିଆଯାଇଛି ।
Leave A Reply

Your email address will not be published.