ନେଟୱର୍କ ସମସ୍ୟାରେ ଶିକ୍ଷା ବ୍ୟବସ୍ଥା ଠପ

188

ରାୟଗଡା : କରନା ମହାମାରୀର କବଳରେ ସାରା ବିଶ୍ୱ କବଳିତ । ଦୀର୍ଘ ଦୁଇ ବର୍ଷ ହେବ ସରକାରୀ କଟକଣା ଭିତରେ ସ୍କୁଲ କଲେଜ ବନ୍ଦ । ଛାତ୍ରଛାତ୍ରୀ ମାନେ ଅନ୍ଧାରମୁହା, ଶିକ୍ଷା ବ୍ୟବସ୍ଥା ଭୁଶୁଡି ଭୁଶୁଡି ଚାଲିଛି । ତଥାପି ସରକାର ଚେଷ୍ଟା କରୁଛନ୍ତି ଆଗାମୀ ଦିନରେ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅନଲାଇନରେ ପାଠପଢା ପାଇଁ ସୁବିଧା ଯୋଗାଇବା ପାଇଁ ଆଗେଇ ଆସିଥିବା ବେଳେ ବିଷମ କଟକ ବ୍ଲକର କୁରଲୀ ଓ ଖଂବେସି ଅଂଚଳରେ ନେଟୱର୍କ ନାହିଁ । ସ୍ୱାଧୀନ ଭାରତର ଡଙ୍ଗରିଆ ଓ ଆଦିବାସୀ ଅଂଚଳ ସହ ଏହା ଏକ ଦୁର୍ଗମ ଅଂଚଳ ଭାବେ ପରିଚିତ । ଅନେକ ଜିଲ୍ଲାପାଳ, ନେତା ମନ୍ତ୍ରୀ ଏଠାକୁ ଆସି ନିଜ କର୍ତବ୍ୟ କରି ଯାଇଛନ୍ତି । ହେଲେ ଏ ଅଞ୍ଚଳର ମୁଣ୍ଡବାଲି, ହୁଣ୍ଡଜାଲି, ହୁତେସି, ଉପରଗୁମା, ଭାଟିଗୁମା, ଖଜୁରୀ ଇତ୍ୟାଦି ଗାଁ ରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ନେଟୱର୍କ ନ ଥିବାରୁ ସେମାନେ ଶିକ୍ଷାରୁ ଦୁରେଇ ରହି ଯାଇଛନ୍ତି ।

ଭାରତବର୍ଷ ସ୍ୱାଧୀନ ହୋଇ ଦୀର୍ଘ ୭୨ ବର୍ଷ ହେବଣି, ହେଲେ ଏବେବି ଅନେକ ଅଞ୍ଚଳ ଅଛି ଯୋଉଠି ସାଧାରଣ ସୁବିଧାରୁ ବଂଚିତ ଅନେକ ଜନସାଧାରଣ । ହେଲେ ଏଇ କୁରଲୀ ଖଂବେସି ଅଂଚଳରୁ ପିଲା ମାନେ ଉଚ୍ଚଶିକ୍ଷିତ ପିଲା ବି ଅଛନ୍ତି, ସେମାନେ ଡଙ୍ଗରିଆ ସଂପ୍ରଦାୟରୁ ହେଲେବି କିଞ୍ଚିତ ସୁବିଧା ପାଇ ଶିକ୍ଷାର ମାନକୁ ବୁଝିଛନ୍ତି । ଅନେକ ଏବେ +୨, ମାଟ୍ରିକ, ପିଜି, ଭଳି ପାଠ ପଢି ଚାଲିଛନ୍ତି ।

ସବୁଠୁ ଗୌରବର କଥା ଯେ ଏଭଳି ଦୁର୍ଗମ ଅଞ୍ଚଳରେ ରହି ଆଦିବାସୀ ଝିଅ ବନ୍ଦନା ବାଡକା, ଫୁଲକୀ ବାଡକା, ତୁଇଁକିଲ ବାଡକା, ରଜନୀ ବାଡକା, ଗାୟତ୍ରୀ ବାଡକା, ଗୀତାଞ୍ଜଳି କାଦ୍ରକା ଭଳି ଅନେକ ଝିଅ ଏବେ ବି କିଏ +୨, ବା କିଏ ପୋଷ୍ଟ ଗ୍ରାଜୁଏଟରେ ଅଧ୍ୟୟନ ରତ ଅଟନ୍ତି । ହେଲେ ଏବେବି ସରକାର ଏମାନଙ୍କୁ ଟିକେ ଧ୍ୟାନ ଦେଲେ ଏ ଭଳି ଦୁର୍ଗମ ଅଂଚଳରେ ଅନେକ ସୁନାମ ଅର୍ଜନ କରି ଉଚ୍ଚଶିକ୍ଷିତ ହୋଇ ଉଜଳ ଭବିଷ୍ୟତ ଗଠନ କରିପାରିବେ ଏଥିରେ ସନ୍ଦେହ ନାଇଁ ।

ଏଇ ନିୟମଗିରି ପର୍ବତ ମାଳାରେ ବସବାସ କରୁଥିବା ନିରୀହ ଡଙ୍ଗରିଆଙ୍କ ଭବିଷ୍ୟତକୁ ଧ୍ୟାନ ଦେଇ ସରକାରୀ ବା ବେସରକାରୀ ନେଟୱର୍କ ଯୋଗାଇଦେଲେ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଦିଗରେ ଅଧିକ ସୁଫଳ ମିଳିବା ସହ ଜନ ଜୀବନରେ ବିକାଶ ସାଧନ ହେବ ଏଣୁ ନେଟୱର୍କ ବ୍ୟବସ୍ଥା ନିହାତି ଜରୁରୀ । ସରକାର ଏଥିପାଇଁ ଦୃଷ୍ଟି ଦେଇ ନେଟୱର୍କ ବ୍ୟବସ୍ଥା ଅତିଶୀଘ୍ର ଯୋଗାଇ ଦେବାକୁ ଦାବି କରାଯାଉଛି ।

Leave A Reply

Your email address will not be published.