କୋଣାର୍କ ୬ ଲେନ ରାସ୍ତାର ବେଆଇନ କାର୍ଯ୍ୟକାରିତା ଓ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ବସ୍ତିବାସିନ୍ଦା

187

କୋଣାର୍କ : କୋଣାର୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଂଶ ବିଶେଷ ୬ ଲେନ ରାସ୍ତାର ବେଆଇନ କାର୍ଯ୍ୟକାରିତା, ଅନିୟମିତତା ଓ ବିସ୍ଥାପିତ ନୀତି ଘୋଷଣା ଦାବିରେ କୋଣାର୍କ ଏନଏସି ଅନ୍ତର୍ଗତ ୧୦ ଓ୍ବାର୍ଡ ରାଣୀହାଟ ସାହିର ବସ୍ତିବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ପ୍ରଦାନ ଦାବି କରିଛନ୍ତି । ଖବରରୁ ପ୍ରକାଶ ଯେ କୋଣାର୍କ ୬ ଲେନ ରାସ୍ତା ପାଇଁ ଘରୋଇ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ନକ୍ସା ବଦଳାଇ ନୂତନ ଭାବେ ନକ୍ସା ପ୍ରସ୍ତୁତ କରାଯାଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାର ବିସ୍ଥାପିତ ବସ୍ତିବାସିନ୍ଦାମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ସହ ପୂର୍ବ ନକ୍ସାକୁ ସାର୍ବଜନୀନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଏହି କାର୍ଯ୍ୟ ପୂର୍ବରୁ କରାଯାଇଥିବା ସର୍ଭେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ବସ୍ତିବାସିନ୍ଦାମାନେ ମତବ୍ୟକ୍ତ କରିଛନ୍ତି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହେବା ଦ୍ୱାରା ଶତାଧିକ ବସ୍ତିବାସିନ୍ଦା ନିଜ ନିଜର ପୈତୃକ ବାସଭବନ ଓ ଜାଗା ହରାଇବେ ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ପୁରୀ ପରି ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଶିବିର ଆୟୋଜନ କରିବା, ବିସ୍ଥାପିତମାନଙ୍କୁ ସରକାରୀ ସହାୟତା ପ୍ରଦାନ ସହ ପୂର୍ବ ନକ୍ସା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବା ପାଇଁ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋଣାର୍କ ରାଜସ୍ୱ ନିରୀକ୍ଷକ ବସ୍ତିର କିଛି ବ୍ୟକ୍ତିଗତ ଜାଗାକୁ ସରକାରୀ ବୋଲି ଦର୍ଶାଇ ବିସ୍ଥାପିତମାନଙ୍କୁ ସରକାରୀ ସହାୟତାରୁ ବଂଚିତ ପାଇଁ ଚକ୍ରାନ୍ତ କରିଥିବା ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ କୋଣାର୍କ ଅଂଚଳର ପୁରାତନ ବିଦ୍ୟାଳୟ ଆବାସିକ ସେବାଶ୍ରମ ବିଦ୍ୟାଳୟ ତାର ଅସ୍ତିତ୍ୱ ହରାଇବା ସହ ଦୂରଦୂରାନ୍ତରୁ ବହୁ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ଆସି ପାଠ ପଢୁଥିବାରୁ ସେମାନେ ଶିକ୍ଷାଦାନରୁ ବଂଚିତ ହେଉଥିବାରୁ ଏହାକୁ ନ ଭାଂଗି ଅନ୍ୟତ୍ର ନିର୍ମାଣ ପର୍ଯ୍ୟନ୍ତ ଏହାକୁ ସଂରକ୍ଷଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଖୁବଶୀଘ୍ର ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ, ପ୍ରସ୍ତୁତ ନକ୍ସାର ସାର୍ବଜନୀନ କରିବା ସହ ଜନ ଶୁଣାଣି ଶିବିର ଆୟୋଜନ ମାଧ୍ୟମରେ ବସ୍ତିବାସିନ୍ଦାମାନଙ୍କୁ ଥାଇଥାନ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ରାଣୀହାଟ ସାହିର ବସ୍ତିବାସିନ୍ଦା ଗୋପାଳ ଚନ୍ଦ୍ର ବେହେରା, ପ୍ରତାପ ଗୋଛୟତ, ରାଜକିଶୋର ମହାପାତ୍ର, ରଣଜିତ ରାଉତରାୟ, ଅଜୟ ବେହେରା, ପ୍ରବୋଧ କୁମାର ସାମନ୍ତରାୟ, ବ୍ରଜ ବନ୍ଧୁ ବେହେରା, ରବୀନ୍ଦ୍ର କୁମାର ଦଳାଇ, ଲଷ୍ମୀଧର ପାତ୍ର, ଜଟାଧାରୀ ପାତ୍ର, ବିରେନ୍ଦ୍ର କୁମାର ବେହେରା, ପବିତ୍ର ରାଉତ, ପୂର୍ଣ ଚନ୍ଦ୍ର ପ୍ରଧାନ, କୁମୁଦୁନି ମହାରଣା, ସୁନ୍ଦରୀ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ, ନଗର ଉନ୍ନୟନ ସଚିବ, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ପୁରୀ ଜିଲ୍ଲାପାଳ ଏବଂ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.