ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟରେ ଅପମିଶ୍ରଣ

184

-ଯାଞ୍ଚ ବଦଳରେ ପ୍ରସ୍ତୁତକାରୀ ସଂସ୍ଥାକୁ ସିଡିପିଓଙ୍କ ପ୍ରୋତ୍ସାହନ ନେଇ ଅଭିଯୋଗ

ଖୋର୍ଦ୍ଧା : ସାରା ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସରସ ସୁନ୍ଦର ତଥା ବିକଶିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଥିବା ବେଳେ ଏପରିକି ହାତ ପାହାନ୍ତାରେ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଆସିଛନ୍ତି । ମାତ୍ର, ଯୋଜନା ସବୁ ତା ବାଟରେ ଥିବା ବେଳେ ଏହାର ସୁବିଧା ସୁଯୋଗ ଉପଯୁକ୍ତ ଜନସାଧାରଣଙ୍କୁ ନ ମିଳି ବିଭିନ୍ନ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଦଲାଲଙ୍କ ମିଲିଭଗତରେ ବାଟମାରଣା ହେଉଛି ।

ଅଭିଯୋଗ ମୁତାବକ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଏନଏସିରେ ଗତ କିଛିଦିନ ହେଲା ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଦିଆଯାଉଥିବା ପୃଷ୍ଟିକର ଶୁଖିଲା ଖାଦ୍ୟରେ ପ୍ରବଳ ମାତ୍ରାରେ ଅପମିଶ୍ରଣ ସାଙ୍ଗକୁ ଠିକ୍ ସମୟରେ ଏହା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ଦିଆଯାଉଥିବା ଶୁଖିଲା ଖାଦ୍ୟ ଛତୁଆରେ ମାତ୍ରାଧିକ ଚୋକଡ଼, ବାଦାମ କୋରାରେ ବାଲି ତା ସହ ଏହା ଅତି ନିମ୍ନମାନର ହୋଇଥିବାରୁ ଏ ସମ୍ବନ୍ଧରେ ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରେ ପ୍ରତିଉତ୍ତରରେ ସେ କୁହନ୍ତି, ଖାଦ୍ୟ ସାମଗ୍ରୀ ବାଣ୍ଟିବା ଆମର କାମ, ମାତ୍ର ଉକ୍ତ ଖାଦ୍ୟକୁ ଏକ ପ୍ରସ୍ତୁତକାରୀ ସଂସ୍ଥା ଆବଶ୍ୟକ ମୁତାବକ ଆମକୁ ଯୋଗାଇଥାଏ । ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ଉପରେ ସମ୍ପୃକ୍ତ ସଂସ୍ଥାର ନାମ, ଠିକଣା ସହିତ ଖାଦ୍ୟର ପରିମାଣ ଏବଂ ଯୋଗାଯୋଗ ନମ୍ବରକୁ ଭିତି କରି ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରେ ଅତି ଚତୁରତାର ସହ ଉତ୍ତର ଦେଉଛନ୍ତି ଆପଣ ସେହି ଖାଦ୍ୟ ସବୁ ଏଠାକୁ ଆଣି ଦିଅନ୍ତୁ ଏବଂ ଏହାର ପ୍ରତି ବଦଳରେ ଭଲ ପ୍ୟାକେଟ୍ ନେଇଯାଆନ୍ତୁ । ଏଠି ପ୍ରଶ୍ନ ଉଠୁଛି ଉକ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା କେତେ ପ୍ରକାରର ଖାଦ୍ୟ ସେଠାରେ ପ୍ରସ୍ତୁତ କରୁଛନ୍ତି ଏବଂ ଖାଦ୍ୟ ଦେବା ପୂର୍ବରୁ ଖାଦ୍ୟର ମାନ ପରୀକ୍ଷା ନ କରାଯାଇ କିପରି ବେପରୁଆ ଭାବେ ଏହାକୁ ବଣ୍ଟନ କରୁଛନ୍ତି ।

ଏ ସମ୍ବନ୍ଧରେ ଚିଲିକା ବ୍ଲକ୍ ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ଯୋଗାଯାୋଗ କରିବାରେ ସେ କୁହନ୍ତି, ଖାଦ୍ୟର ମାନ ପରୀକ୍ଷା ତଥା ଖାଦ୍ୟ ସାମଗ୍ରୀ ପରିଚାଳନା କରିବା ପାଇଁ ସୁପରଭାଇଜର୍ ନିଯୁକ୍ତ ହୋଇଛନ୍ତି । ତେଣୁ ମୁଁ ଏଠାରେ କଣ କରିପାରିବି ? ସବୁଠାରୁ ଆଶ୍ଚର୍ଯ୍ୟର କଥା ଗର୍ଭବତୀ ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାର ସଦାସର୍ବଦା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଆପଣାଉଥିବାବେଳେ ତଳ ମହଲରେ ବସିଥିବା ପ୍ରଶାସନିକ ଅଧିକାରୀମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିଥାଆନ୍ତି । ଏପରିକି ସମ୍ପୃକ୍ତ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସହ ହାତ ମିଳାଇ ଦୁର୍ନିତୀ କରିବାକୁ ପଛାଉନାହାନ୍ତି । ଯାହାର ପରିଣାମ ସ୍ଵରୁପ ପୃଷ୍ଟିସାର ଅଭାବରୁ ଅନେକ ଶିଶୁଙ୍କୁ ବିକଳାଙ୍ଗ ତଥା ଖାଦ୍ୟାଭାବର ସାମ୍ନା କରିବାକୁ ପଡୁଛି । ସିଡିପିଓ ମହାଶୟା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପରିବର୍ତ୍ତେ ସମ୍ପୃକ୍ତ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥାକୁ ପ୍ରୋତ୍ସାହନ ଦେବା କେତେଦୂର ନ୍ୟାୟ ସଙ୍ଗତ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.