ଶିଳ୍ପୀ ଦିଲୀପଙ୍କ ଆଉ ଏକ କୀର୍ତିକାଠରେ ନିର୍ମାଣ କଲେ ଅବିକଳ ଶ୍ରୀମନ୍ଦିର

144

ଗଞ୍ଜାମ : ଶିଳ୍ପୀ ଦିଲୀପଙ୍କ ଆଉ ଏକ କୀର୍ତି । କାଠରେ ନିର୍ମାଣ କରିଲେ ଅବିକଳ ଶ୍ରୀମନ୍ଦିର । କାଠରେ ଶ୍ରୀ ମନ୍ଦିର ନିର୍ମାଣ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ଦିଲୀପ ।

ଆଉ ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହାକୁ ନିଜ କଳା ମାଧ୍ୟମରେ ଚିର ସ୍ମରଣୀୟ କରିବା ପାଇଁ ପୁରୀ ଶ୍ରୀମନ୍ଦିରର ଅବିକଳ କାଠର ମନ୍ଦିର ନିର୍ମାଣ କରିଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଭଗବାନ ମହାରଣାଙ୍କ କନିଷ୍ଠ ପୁତ୍ର ଦିଲୀପ ମହାରଣା । ବୟସ ମାତ୍ର ୧୮ ବର୍ଷ, କିନ୍ତୁ କାରୁକାର୍ଯ୍ୟରେ ସେ ତାଙ୍କ ନିପୁଣତାକୁ ପରିପ୍ରକାଶ କରାଇ ଦେଶ ବିଦେଶରୁ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗରେ ପ୍ରଥମ ବର୍ଷ ଛାତ୍ର ଦିଲୀପ । ଚଳିତ ରଥଯାତ୍ରା ଅବସରରେ ୪ ଇଞ୍ଚ ମୂଳ ପୀଠ ସହ ୫.୬ ଇଞ୍ଚରେ ଏକ ଶ୍ରୀ ମନ୍ଦିର ନିର୍ମାଣ କରିଛନ୍ତି ସେ । ଯାହାକି ଶ୍ରୀମନ୍ଦିରର ଠିକ୍ ଅବିକଳ । ଏହି ଶ୍ରୀମନ୍ଦିର ତିଆରି କରିବା ପାଇଁ ଦିଲୀପଙ୍କୁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ଲାଗିଛି । ଶ୍ରୀମନ୍ଦିରର ଭିତର ପାର୍ଶ୍ଵରେ ମେଘନାଦ ପାଚେରୀ, ମୁଖ୍ୟ ମନ୍ଦିର ଜଗମୋହନ, ଭୋଗ ମଣ୍ଡପ ସହ ନୀଳଚକ୍ର ଏବଂ ପତିତ ପାବନ ବାନା ମଧ୍ୟ ନିର୍ମାଣକୁ ଦେଖିଲେ ଲାଗୁଚି ଯେମିତି ଦୂରରୁ ଶ୍ରୀ ମନ୍ଦିର ଦୃଶ୍ୟମାନ ହେଉଛି । ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ ରୁ ଅଧିକ ମନ୍ଦିର, ଚାରି ଦ୍ୱାରରେ ସିଂହ, ଅଶ୍ୱ, ବ୍ୟାଘ୍ର ଏବଂ ହସ୍ତୀ ଦ୍ୱାର ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ କରିଛନ୍ତି ।

ପୂର୍ବରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ପଦ ହାସଲ କରି ଗଞ୍ଜାମ ତଥା ଓଡିଶା ମାଟି ପାଇଁ ସୁନାମ ଅର୍ଜନ କରିଛନ୍ତି । କରୋନା ମହାମାରୀ ଭିତରେ ଲୋକ ମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ପାଉନଥିବା ବେଳେ ତାଙ୍କ ହାତରେ ତିଆରି ଏହି କୀର୍ତିରାଜିକୁ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ ତାଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହାରଣା ସହଯୋଗ କରିଥିବା କହିଛନ୍ତି ଦିଲୀପ ।

Leave A Reply

Your email address will not be published.