ଧାଡ଼ି ପହଣ୍ଡି ପରେ, ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

161

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ । ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥ ବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଛି । ଶ୍ରୀମନ୍ଦିର ସେବାୟତମାନେ ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ ।

ଜଣଙ୍କ ପରେ ଜଣେ ଆସି ରଥାରୂଢ଼ ହୋଇଥିଲେ। ଚତୁର୍ଦ୍ଧା ମୁରତିଙ୍କୁ ରଥ ଉପରେ ଦେଖି ନେତ୍ର ଅଥୟ ହୋଇ ଉଠିଛି ପାଦ । ଘଣ୍ଟା ଘଣ୍ଟା ହରି ବୋଲରେ ପ୍ରକମମ୍ପିତ ହୋଇ ଉଠିଛି ବଡ଼ ଦାଣ୍ଡ । ଏବେ ଖାଲି ଅପେକ୍ଷା ରଥ ଟଣାକୁ । ରାଜପ୍ରସାଦରୁ ରାଜା ଛେରାପହଁରା ସାରିବା ପରେ ଆରମ୍ଭ ହେବ ରଥ ଟଣା । ତେବେ କରୋନା କଟକଣା ଲାଗିଥିବାରୁ କେବଳ ପୋଲିସ ଏବଂ ସେବାୟତ ରଥ ଟାଣିବେ ।

ସୂଚନାଯୋଗ୍ୟ ରଥଯାତ୍ରା ଅବସରରେ ଆଜି ସକାଳୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ସକାଳ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ କରାଯିବାର ଥିଲା । କିନ୍ତୁ ନୀତିଗୁଡ଼ିକ ଶୀଘ୍ର ଶେଷ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ସେହିପରି ପହଣ୍ଡି ପୂର୍ବାହ୍ନ ସାଢ଼େ ୧୧ଟାରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଶେଷ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ରଥ ଉପରେ ଆୟୋଜନ ହେବାକୁ ଥିବା ନୀତିକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.