-ଅବହେଳିତ ଅବସ୍ଥାରେ ଏମଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ଅନ୍ତର୍ଗତ ଏମଭି-୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଯାହାର ସଦ୍ୟତମ ଉଦାହରଣ କାର୍ଯ୍ୟରତ ମା ଗୃହ କୋଠାର ଛାତରୁ ଅତଡା ଖସି ପଡ଼ିବା ଓ ଅଳ୍ପକେ ମା ଘର କର୍ମୀ ବର୍ତ୍ତୀ ଯାଇଥିବା କୁହାଯାଉଛି । ମେଡିକାଲ ପରିସରରେ ଥିବା ମା ଗୃହ ରୋଷେଇ ଘରେ ମହିଳାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ହେଉଥିବା ବେଳେ ଅଚାନକ ଛାତରୁ ଅତଡା ଖସି ପଡି ଆହତ ହୋଇଥିଲେ ମା ଗୃହର କର୍ମଚାରୀ । ଏମଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ରହିଥିବା ୮ ଟି ଶୌଚାଳୟରୁ କେବଳ ଗୋଟିଏ ହିଁ କାର୍ଯ୍ୟରତ ରହିଥିବା ବେଳେ ଅବଶିଷ୍ଟ ଶୌଚାଳୟ ବ୍ୟବହାର ଯୋଗ୍ୟ ହୋଇ ନାହିଁ । ମେଡିକାଲରେ ରୋଗୀଙ୍କ ୱାର୍ଡ ଠାରୁ ଆରମ୍ଭ କରି ଡାକ୍ତର ବସୁଥିବା ଆଉଟ ଡୋର ଚାମ୍ବରରେ ବର୍ଷା ହେବା ମାତ୍ରେ ଛାତରୁ ପାଣି ପଡୁଥିବାରୁ ମେଡିକାଲ ପରିସରରେ ସନ୍ତସନ୍ତିଆ ପରିବେଶ ଦେଖିବାକୁ ମିଳୁଛି । ମେଡିକାଲ ପାଚେରୀ କାନ୍ଥ ଭାଙ୍ଗିଯାଇଥିବା ଯୋଗୁଁ ମେଡିକାଲ ପରିସରରେ ଗାଇଗୋରୁଙ୍କ ଭିଡ଼ ମଧ୍ଯ ଦେଖିବାକୁ ମିଳୁଛି ।
ଏଥିସହ ବର୍ଷ ବର୍ଷ ଧରି ଏଠାରେ ରହିଥିବା ଅପରେସନ ଥିଏଟର ରେ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ କରାଯାଉଥିଲା ତେବେ ଗତ କିଛି ବର୍ଷ ଧରି ଏହି ଅପରେସନ ଥିଏଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିବାରୁ ସ୍ଥାନୀୟ ମହିଳା କାଲିମେଳା ଓ ପଡିଆ ଆଦି ସ୍ଥାନକୁ ଯାଉଥିବା ଜଣାପଡିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖାପାଖର ଅଞ୍ଚଳର ୫ ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭରଶୀଳ ଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକାଧିକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଲୋକେ । ଗତ ଦିନରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁରୁଣା ହୋଇ ପଡିଥିବା ଅଶୀଦଶକ ର ଏକ୍ସରେ ମେସିନ ସମେତ ବିଭିନ୍ନ ମେଡିକାଲ ସରଞ୍ଜାମ ଅଚଳାବସ୍ଥାରେ ପଡିଆ ରହିଥିବାର ଚିତ୍ର ଗଣମାଧ୍ଯମରେ ଖବର ପ୍ରକାଶ ହୋଇଥିଲା। ଏହାପରେ ନୂତନ ଏକ୍ସରେ ମେସିନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ଏହାର କାର୍ଯ୍ୟକାରି ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ବାବଦରେ ଏମଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରସନଜିତ ରାୟ ଙ୍କୁ ପଚାରିବାରୁ ସେ ଏ ବାବଦରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଥିବା ବେଳେ ମେଡିକାଲ ର ମରାମତି ପାଇଁ ଗତବର୍ଷ ଟେଣ୍ଡର ଆହ୍ଵାନ ହୋଇଥିଲା, ତେବେ ଏହା କୌଣଷି କାରଣରୁ ବାତିଲ କରାଯିବା ପରେ କେହି ଏ ଦିଗରେ ଦୃଷ୍ଟି ଦେଉନଥିବା ସ୍ୱୀକାର କରିଥିଲେ। ଏଥିସହ ତୁରନ୍ତ ଏ ଦିଗରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଡାକ୍ତର ଶ୍ରୀ ରାୟ କହିଛନ୍ତି । ହଜାର ହଜାର ଲୋକଙ୍କ ଉପଯୋଗୀ ଏମଭି ୭୯ ପ୍ରାଥମିକ ଚିକିତ୍ସାଳୟକୁ ନବୀକରଣ କରିବା ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।