ଭ୍ରାମ୍ୟମାଣ ପଶୁ ଚିକିତ୍ସା ସେବା ଦିଗହରା

139

-ନିୟୋଜିତ ପଶୁ ଚିକିତ୍ସକ ଓ ପଶୁଧନ ନୀରିକ୍ଷକ ଅନୁପସ୍ଥିତ
-ସହାୟକ ହାତରେ ଚିକିତ୍ସା ସେବା

କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପଶୁ ସମ୍ପଦ ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ଗୋପ ପଶୁ ସମ୍ପଦ ବିକାଶ କେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଗୋସେବା ଶିବିର ପାଇଁ ନିଯୁକ୍ତ ପଶୁ ଚିକିତ୍ସକ ଓ ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ପଶୁଧନ ନୀରିକ୍ଷକ ଅନୁପସ୍ଥିତ ରହିଥିବା ବେଳେ ଜଣେ ସହାୟକ ମାଧ୍ୟମରେ ଗୋସେବା କାର୍ଯ୍ୟ ସଂପାଦିତ କରିବା ପଶୁପ୍ରେମୀ ମହଲରେ ବିସ୍ମୟ ସୃଷ୍ଟି କରିଛି । ଖବରରୁ ପ୍ରକାଶ ଯେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା ବେଳେ ବିପର୍ଯ୍ଯସ୍ଥ ଗୋସେବାର ସୁଧାର ଆଣିବା ପାଇଁ ପୁରୀଜିଲ୍ଲା ପଶୁ ସମ୍ପଦ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗୋସେବା ଚିକିତ୍ସା ପାଇଁ ନିଯୁକ୍ତ ପଶୁ ଚିକିତ୍ସକ ସାଗର ସାହୁ, ପଶୁଧନ ନୀରିକ୍ଷକ ବିଦ୍ଯାଧର ଜେନା ଆଜି ବନାଖଣ୍ଡି ଗ୍ରାମପଞ୍ଚାୟତକୁ ଆସିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ମୋବାଇଲ ଭ୍ଯାନରେ ଅନୁପସ୍ଥିତ ରହିବା ସାଧାରଣରେ ଅଭିଯୋଗ ହେଉଛି । ଆଜି ବନାଖଣ୍ଡି ଗ୍ରାମପଞ୍ଚାୟତକୁ ଆସିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ମୋବାଇଲ ଭ୍ଯାନରେ ପଶୁ ଚିକିତ୍ସକ ସାଗର ସାହୁ ଓ ପଶୁଧନ ନୀରିକ୍ଷକ ବିଦ୍ଯାଧର ଜେନାଙ୍କ ଡ୍ୟୁଟି ଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ସହାୟକ ସଂଜୟ ଭୋଇ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କରିବା କେତେଦୂର ସମାଚୀନ ତାହା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି ।

ଏହି ବିପର୍ଯ୍ୟୟ ସମୟରେ କର୍ତ୍ତବ୍ୟ ସଂପାଦନ କରିବାରେ ଅବହେଳା ପ୍ରଦର୍ଶନ କରିବା ଆଇନତଃ ଅପରାଧ ସଦୃଶ । ଏହି ପଶୁ ଚିକିତ୍ସକ ଶ୍ରୀ ସାହୁ ଓ ପଶୁଧନ ନୀରିକ୍ଷକ ଶ୍ରୀ ଜେନା ଗୋପ ବ୍ଳକ ପଶୁ ସମ୍ପଦ ଚିକିତ୍ସାଳୟରୁ ଡ୍ୟୁଟିରେ ଯାଉଥିବା କହି ଆସୁଥିବା ବେଳେ ବାଟରେ ରହିଯାଇ ଚିକିତ୍ସା ସେବା ପାଇଁ ସହାୟକଙ୍କୁ ପଠାଉଥିବା ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ୮ହଜାରରୁ ଉର୍ଦ୍ଧ୍ବ ଗୋରୁଗାଈ ମାନଙ୍କ ଚିକିତ୍ସା ସେବା ପଶୁ ଚିକିତ୍ସକ ଓ ପଶୁଧନ ନୀରିକ୍ଷକଙ୍କ ଅନୁପସ୍ଥିତିରେ ସହାୟକ ଦ୍ବାରା କିଭଳି ଭାବେ ସଂପାଦନ ହୋଇପାରିବ ତାହା ସମୁଦ୍ରକୁ ଶଙ୍ଖେ ବୋଲି ପ୍ରତୀୟମାନ ହେଉଛି । ଏହି ରାଜ୍ୟ ବିପର୍ଯ୍ୟୟ ସମୟରେ ଗୋସେବା ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ପଶୁ ଚିକିତ୍ସକ ସାଗର ସାହୁ ଓ ବିଦ୍ଯାଧର ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ବନାଖଣ୍ଡି ଗ୍ରାମପଞ୍ଚାୟତ ପଶୁପ୍ରେମୀ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.