ସମ୍ବଲପୁର : ଉପର ମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇଛି । ୧୮ ତାରିଖ ମଧ୍ୟ ରାତ୍ରରୁ ପୂର୍ବାବତ୍ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ଅବାରିତ ଭାବେ ଜଳ ନିଷ୍କାସନ ଜାରୀ ରହିଥିଲା । ମାତ୍ର ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଆଜି ସକାଳ ୯ଟା ପରଠାରୁ ୬ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ମୋଟ୍ ୧୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ୧୨ଟି ଏବଂ ଡ଼ାହାଣ ପାଶ୍ୱର୍ ଡାଇକ୍ ର ୬ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଅପରାହ୍ନ ୩ଟା ସୁଦ୍ଧାଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୮ ହଜାର ୦୫୮ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୧୮ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୫ ହଜାର ୩୫୩ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ଅପରାହ୍ନ ୩ଟା ସୁଦ୍ଧା ୬୨୮.୧୯ ଫୁଟ୍ ରହିଛି ।