ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ଯଜ୍ଞର ପୂର୍ଣ୍ଣାହୁତି ଦେଲେ ଗଜପତି ଓ ମୁଖ୍ୟମନ୍ତ୍ରୀ

138

-ଶ୍ରୀମନ୍ଦିର ଚାରିଦ୍ୱାର ଓ ଯଜ୍ଞସ୍ଥଳୀରେ ଆକର୍ଷଣୀୟ ଫୁଲସଜ୍ଜା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ସହ ଯଜ୍ଞର ପୂର୍ଣ୍ଣାହୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାଡ଼େଶ୍ୱରୀ ଛକ ଠାରୁ ମେଡ଼ିକାଲ ଛକ, ମେଡ଼ିକାଲ ଛକଠାରୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟ ବ୍ୟାରିକେଡ଼ ଯୋଗେ ପୋଲିସ ସୁରକ୍ଷା ଘେରାବନ୍ଦୀ କରିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତ ୩ ଦିନ ଧରି ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଯଜ୍ଞ ଅନୁଷ୍ଠାନରେ ଆହୂତି ପ୍ରଦାନ କରିଥିଲେ । ଗଜପତି ମହାରାଜା ଯଜ୍ଞର କର୍ତାଭାବେ ବିଧି ମୁତାବକ ପୂର୍ଣ୍ଣାହୂତି ସମ୍ପନ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞସ୍ଥଳରେ ସଜ୍ଜା ଯାଇଥିବା ନାଲି କାରପେଟ ଉପରେ ଚେୟାରରେ ବସିଥିବା ବେଳେ ମୁଣ୍ଡ ଉପରେ ଆକର୍ଷଣୀୟ ପିପିଲି ଚାନ୍ଦୁଆ ଛତା ଢାଙ୍କି ରହିଥିଲା । ଶ୍ରୋତୀୟ ବ୍ରହ୍ମଣମାନେ ମନ୍ତ୍ର ପାଠ ସହ ବେଦ ପାଠରେ ଶିଳାନ୍ୟାସ ସ୍ଥଳୀରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଗଜପତି ମହାରାଜା ପ୍ରକଳ୍ପ ଶିଳାକୁ ପୂଜାର୍ଚ୍ଚନା କରିବା ସହ ଶିଳାନ୍ୟାସ କରିଥିଲେ । ମେଡ଼ିକାଲ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଝୋଟି, ଚିତା, ମୁରୁଜ ସହ ପୂର୍ଣ୍ଣକୁମ୍ଭ ବସିଥିବା ଦେଖିବାକୁ ମିଳିଥିଲା । ଏହା ସହ ବିଭିନ୍ନ ସ୍ଥାନରେ ଘୋଡ଼ାନାଚ, ଚଢେୟା ଚଢେୟାଣୀ ନାଚ, ଗୋଟିପୁଅ ନାଚ ଓ ଭଜନ କୀର୍ତନରେ ବଡ଼ଦାଣ୍ଡ କମ୍ପି ଉଠିଥିଲା । ରାଜା ଶ୍ରୀନଅରରୁ ଯିବା ସମୟରେ ଓ ପୂର୍ଣ୍ଣାହୁତି ସମୟରେ ରାଜ କାହାଳୀ ବାଜିଥିଲା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୯ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଏହା ସହ ଶ୍ରୀମନ୍ଦିର ଚାରିପଟେ ସବୁଜ ବଳୟ ସୃଷ୍ଟି କରାଯିବ । ଭକ୍ତଙ୍କ ପରିକ୍ରମା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କ ପାଇଁ ସୂଚନା ଓ ଦାନକେନ୍ଦ୍ର ଖୋଲାଯିବ । ପ୍ରାଥମିକ ଚିକିତ୍ସା ଓ ଏଟିଏମ ସୁବିଧା ଉପଲବ୍ଧ ହେବ । ୬ ହଜାର ଭକ୍ତଙ୍କ ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବ ।

ଆଜିର ଏହି ଉତ୍ସବରେ ୫-ଟି ସଚିବ ଭି.କେ, ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ମଣ୍ଡଳର ପ୍ରତାପ ଜେନା, ଅଶୋକ ପଣ୍ଡା, ସମୀର ଦାଶ, ବିକ୍ରମ ଆରୁଖ, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଉମାକାନ୍ତ ସାମନ୍ତାରାୟ, ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା , ଏସପି କେ.ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.